ଆଜି ହେରା ପଞ୍ଚମୀ, ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଚ୍ଛକ ନିଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ହେରାପଞ୍ଚମୀ। ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି। ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ।
ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ। ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି। ହେରାପଞ୍ଚମୀ ଦିନ ଅର୍ଥାତ୍ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ହେରାପଞ୍ଚମୀ ହେଉଛି ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଚ୍ଛକ ନିଦର୍ଶନ। ମା’ ଲଷ୍ମୀଙ୍କ କ୍ରୋଧ, ଏହାର ପରିପ୍ରକାଶ କିନ୍ତୁ ପରିବାର ପାଇଁ ଦାୟିତ୍ୱବୋଧର ମାନବୀୟ ଲୀଳା ମାଧ୍ୟମରେ ଏସମାଜକୁ ବାର୍ତ୍ତା ଦିଅନ୍ତି ମହାପ୍ରଭୁ।
ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିରାଜିତ ଶ୍ରୀଜିଉମାନଙ୍କୁ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯାଇଛି। ତେବେ କୋଭିଡ୍ କଟକଣା ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଛି।
Comments are closed.