Odisha Link
Bridging the Missing Links in Odisha

ଭୁଲ ଲୋକଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର୍‌ ଆକାଉଣ୍ଟ୍‌ !

ଭୁବନେଶ୍ବର: ରାଜନୈତିକ ଦୃଷ୍ଟିରୁ ରାଜ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ତଥା ଓଡ଼ିଶା ସରକାରର ପ୍ରମୁଖ ପୁରୁଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ପ୍ରତିଟି ପଦକ୍ଷେପ, ପ୍ରତିଟି ବାର୍ତ୍ତା ଆଉ ଲେଖା ଉପରେ ସମସ୍ତଙ୍କ ନଜର। ସାମଜିକ ଗଣମାଧ୍ୟମ ଯୁଗରେ ଏବେ ମୁଖ୍ୟମନ୍ତ୍ରୀ ଆଉ ଅପହଞ୍ଚ ହୋଇ ନାହାନ୍ତି। ତେବେ ତାଙ୍କର ସୋସିଆଲ ମିଡିଆକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନଙ୍କର ଭୁଲ ପାଇଁ ଅଯଥାରେ ହଟହଟା (ଟ୍ରଲ୍‌) ହେଉଛନ୍ତି ମୁଖ୍ୟମନ୍ତ୍ରୀ।

କେବେ ଭୁଲ ତଥ୍ୟ ତ କେବେ ଭୁଲ ଭାଷା ଲେଖି ଉଭୟ ଅନୁଗାମୀ ଓ ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ଏମିତି ଆଉ ଏକ ତ୍ରୁଟି ଦେଖିବାକୁ ମିଳିଛି। ଗତକାଲି ପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଅବସରରେ ଏମିତି ଏକ ତ୍ରୁଟିପୂର୍ଣ୍ଣ ଟୁଇଟ୍‌ ପାଇଁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ। ଆଜି ପୁଣି ସମାନ ତ୍ରୁଟି ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ରେ।

ନୀଳାଦ୍ରି ବିଜେ ଅବସରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଚକ୍ର ସୁଦର୍ଶନ ଗତକାଲି ଶ୍ରୀମନ୍ଦିରକୁ ବିଜେ କରିଥିଲେ। ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆବାସ ସ୍ଥଳକୁ ଶ୍ରୀମନ୍ଦିର କୁହାଯାଉଥିବା ବେଳେ ଜଗନ୍ନାଥଙ୍କ ଅଗ୍ରସେବକ ଭାବେ ପରିଚିତ ପୁରୀ ରାଜାଙ୍କ ଆବାସ ସ୍ଥଳକୁ ଶ୍ରୀନଅର କହାଯାଏ। ତେବେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ ଅନୁସାରେ ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରିବର୍ତ୍ତେ ପୁରୀ ରାଜାଙ୍କ ଘରକୁ ବିଜେ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ସମାନ ତ୍ରୁଟି ଦେଖିବାକୁ ମିଳିଥିଲା। ଏ ନେଇ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମଧ୍ୟ ଆଜି ସମାନ ତ୍ରୁଟିକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସକାଳ ୯ଟା ୪୫ ମିନିଟରେ ରଥଯାତ୍ରା ନେଇ ପୁଣି ଏକ ପୋଷ୍ଟ ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ରଥଯାତ୍ରା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇଥିବା ହେତୁ ମୁଖ୍ୟମନ୍ତ୍ରୀ ସମସ୍ତ ସେବାୟତ, ପ୍ରଶାସନ ଓ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଏହି ପୋଷ୍ଟରେ ମଧ୍ୟ ‘ଶ୍ରୀମନ୍ଦିର’ ବଦଳରେ ‘ଶ୍ରୀନଅର’ ବୋଲି ଲେଖାଯାଇଛି। ଗତକାଲି ଓ ଆଜିର ପୋଷ୍ଟରେ ‘ନୀଳାଦ୍ରି’ ଶବ୍ଦର ବନାନରେ ମଧ୍ୟ ତ୍ରୁଟି ରହିଛି।

https://twitter.com/Naveen_Odisha/status/1279629929714311169 (ଏ ଖବର ଲେଖାହେବା ପରେ ଏହି ଦ୍ବିତୀୟ ଟୁଇଟ୍‌ଟି ହଟାଇ ଦିଆଯାଇଛି)

ତେବେ ଏସବୁ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଅନେକେ ହୁଏତ ଜାଣନ୍ତିନାହିଁ ଯେ ଅଧିକାଂଶ ସରକାରୀ ଓ ସରକାରଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସଂପୃକ୍ତ ବ୍ୟକ୍ତି ବା ବିଭାଗ ନିଜେ ପରିଚାଳନା କରି ନଥା’ନ୍ତି। ଏଥିପାଇଁ ସ୍ବତନ୍ତ୍ର ବ୍ୟକ୍ତି ବା ଗୋଷ୍ଠୀଙ୍କୁ ନିଯୁକ୍ତ କରାଯାଇଥାଏ। ଓଡ଼ିଶାରେ ଅଧିକାଂଶ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ ବିଭିନ୍ନ ଏଜେନ୍ସି ଦ୍ବାରା ପରିଚାଳିତ। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ବ୍ୟକ୍ତି ଏଭଳି ତ୍ରୁଟି କରିଛନ୍ତି ଯାହା ଦ୍ବାରା ମୁଖ୍ୟମନ୍ତ୍ରୀ ହଟହଟା (ଟ୍ରଲ୍) ହେଉଛନ୍ତି।

Comments are closed.