ସୁଶାନ୍ତଙ୍କ ମୃତ୍ୟୁରେ ନେପୋଟିଜମ ପ୍ରମାଣିତ ନହେଲେ ପଦ୍ମଶ୍ରୀ ପୁରସ୍କାର ଫେରାଇଦେବି: କଙ୍ଗନା
ନୂଆଦିଲ୍ଲୀ: ବଲିଉଡର ସାଇନିଂ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଉର୍ଦ୍ଧ୍ବ ସମୟ ବିତି ଗଲାଣି। ହେଲେ ଏହାକୁ ନେଇ ଥମୁନି ଚର୍ଚ୍ଚା। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବଲିଉଡ୍ର ଅନେକ ବଡ଼ ବଡ଼ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ।
ଏପରିକି ବଲିଉଡ୍ରେ ନେପୋଟିଜମ (ଆତ୍ମୀୟତାବାଦ) ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଥିବା କଙ୍ଗନା କହିଥିଲେ। ଏବେ ସେ ତାଙ୍କ ଅଭିଯୋଗ ପ୍ରମାଣିତ ନ ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇଦେବେ ବୋଲି କଙ୍ଗନା କହିଛନ୍ତି।
ଏକ ଜାତୀୟ ସ୍ତରୀୟ ନ୍ୟୁଜ ଚ୍ୟାନେଲ୍ ସହିତ ଆଲୋଚନା ବେଳେ କଙ୍ଗନା କହିଛନ୍ତି, ମୁମ୍ବଇ ପୁଲିସ ମୋତେ ବୟାନ ରେକର୍ଡ ପାଇଁ ଡକାଇଥିଲା। ମୁଁ ମନାଲିରେ ଥିବାରୁ ପୁଲିସକୁ ପଚାରିଥିଲି ଯେ, ମୋ ବୟାନ ରେକର୍ଡ ପାଇଁ ଆପଣ କାହାକୁ ଏଠାକୁ ପଠାଇପାରିବେ କି ? କିନ୍ତୁ ଏହା ପରେ ପୁଲିସଠାରୁ ମୋତେ କୌଣସି ଉତ୍ତର ମିଳି ନ ଥିଲା। ଯଦି ମୁଁ ଏପରି କିଛି କହିଛି, ଯାହାର ମୁଁ ସାକ୍ଷ୍ୟ ଦେଇ ପାରିବି ନାହିଁ, ଯାହା ମୁଁ ପ୍ରମାଣ କରିପାରିବି ନାହିଁ ଏବଂ ଯାହା ଜନସାଧାରଣଙ୍କ ହିତରେ ନାହିଁ, ତେବେ ମୁଁ ମୋର ପଦ୍ମଶ୍ରୀ ଫେରାଇ ଦେବି। ମୁଁ ତାହାର ହକ୍ଦାର ନୁହେଁ। ମୁଁ ସେପରି ବ୍ୟକ୍ତି ନୁହେଁ, ଯିଏ ଏମିତି କିଛି କହିଦିଏ ଏବଂ ମୁଁ ଏପର୍ଯ୍ୟନ୍ତ ଯାହା କହିଛି ତାହା କେବଳ ଜନସାଧାରଣଙ୍କ ହିତ ପାଇଁ କହିଛି ବୋଲି କଙ୍ଗନା କହିଛନ୍ତି।
Comments are closed.