ଆସାମରେ ବନ୍ୟା, ୨୮ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ କେତେକ ରାଜ୍ୟରେ ବନ୍ୟ ପରିସ୍ଥିତି ଉପୁଜିିଛି। ଯାହା ଜନଜୀବନକୁ ଅତିଷ୍ଠ କରିଦେଇଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ସମେତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବନ୍ୟା ଦେଖାଯାଇଛି। ଆସାମରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବନ୍ୟାରେ ରାଜ୍ୟର ୨୬ ଜିଲ୍ଲାର ୨୮ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ସ୍ଥାନରେ ଘର, ରାସ୍ତାଘାଟ ଧୋଇ ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ବନ୍ୟା ପରିସ୍ଥିତି ବିଷୟରେ ରବିବାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ଙ୍କ ସହ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତି ସହ ରାଜ୍ୟରେ କୋଭିଡ୍-୧୯ ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଗୋଲପରା ଜିଲାରେ ସର୍ବାଧିକ ୪.୫୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବାରପେଟରେ ୩.୪୪ ଲକ୍ଷ ଓ ମୋରିଗାନରେ ୩.୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମରେ ଏ ବର୍ଷ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୧୧ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରୁ ୮୪ଜଣ ବନ୍ୟାଜନିତ ଘଟଣାରେ ପ୍ରାଣ ହରାଇଥିବା ବେଳେ ୨୬ଜଣ ଭୂସ୍ଖଳନ କାରଣରୁ ପ୍ରାଣ ହରାଇଛନ୍ତି।
ଅପରପକ୍ଷେ ବନ୍ୟା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୦୮ ପ୍ରାଣୀଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ଷା ଯୋଗୁଁ ଉତ୍ତରାଖଣ୍ଡ ଗୋରି ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁଁ ପିଥୋରାଗଡ ମୁନସ୍ୟାରୀ ରାସ୍ତାରେ ଏକ ସେତୁ ଧୋଇ ହୋଇଯାଇଛି। ସେହିପରି ବନ୍ୟାରେ ବାଙ୍ଗାପାଣୀ ସବ୍ଡିଭିଜନର ଚୋରି ଗ୍ରାମରେ ୪ଟି ଘର ଭାଙ୍ଗିଯାଇଛି। ବର୍ଷା ଯୋଗୁଁ ବଦ୍ରିନାଥ ରାଜପଥରେ ମାଡି ଅତଡା ଧସି ରାସ୍ତା ବନ୍ଦ ହୋଇଯାଇଛି। ଚାମୋଲି ଜିଲା ପ୍ରଶାସନ ଓ ଏନଡିଆରଏଫ ରାସ୍ତାରୁ ଅତଡା ସଫା କରିବା ଲାଗି ଉଦ୍ୟମ ଚଳାଇଛନ୍ତି।
Comments are closed.