ମୃତ ଲେଖିକା ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ!

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ପୁର୍ନଗଠନ କରିଛନ୍ତି। ପରିଷଦର ସଦସ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଅର୍ଥାତ୍ ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ନବନିଯୁକ୍ତ ସଦସ୍ୟଙ୍କର କାର୍ଯ୍ୟକାଳ ରହିବ। ହେଲେ ଆଜି ପରିଷଦର ପୁର୍ନଗଠନ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ଜଣେ ମୃତବ୍ୟକ୍ତି ସ୍ଥାନ ପାଇଛନ୍ତି।
ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ ଗଜପତି ଜିଲ୍ଲାର ସଦସ୍ୟ ଭାବେ ତାଲିକାରେ ଲେଖିକା ମୀନାକ୍ଷୀ ସାହୁଙ୍କ ନାଁ ରହିଛି। ପୂର୍ବରୁ ପ୍ରସ୍ତୁତ ଏ ତାଲିକାଟି ଆଜି ପ୍ରକାଶ ପାଇଥିବା ବେଳେ ପାରଳାଖେମୁଣ୍ଡିର ବଡ଼ବ୍ରାହ୍ମଣ ସାହିସ୍ଥିତ ମୀନାକ୍ଷୀଙ୍କର ଗତ ୫ ଦିନ ତଳେ ମୃତ୍ୟୁ ହୋଇଛି। ପାରଳାର ପୂର୍ବତନ ବିଧାୟିକ ତ୍ରିନାଥ ସାହୁଙ୍କ ବଡ଼ ଝିଅ ମୀନାକ୍ଷୀ ଜଣେ ସାହିତ୍ୟିକ ଓ ଗବେଷିକା।
ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦସ୍ତଖତରେ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ପୁର୍ନଗଠନ କରାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଥିବାବେଳେ ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ, ୮ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। ଏମାନଙ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ମଧ୍ୟ ସଦସ୍ୟ ରହିବେ। ମୃତବ୍ୟକ୍ତି ତାଲିକାଭୁକ୍ତ ହେବା ନେଇ ସଂସ୍କୃତି ବିଭାଗ ଅଥବା ଏକାଡେମୀ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ।