ଆସନ୍ତା ସପ୍ତାହରେ ମାଟ୍ରିକ ରେଜଲ୍ଟ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। ବହୁଦିନର ବିଳମ୍ବତା ପରେ ଚଳିତ ମାସ ଶେଷ ଆଡ଼କୁ ବାହାରିବ ମାଟ୍ରିକ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା। ତେବେ କେଉଁ ଦିନ ଫଳ ପ୍ରକାଶ ପାଇବା ସେ ନେଇ ସୂଚନା ଦିଆଯାଇନାହିଁ। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ହାଜରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରତିବର୍ଷ ମେ ମାସ ଶେଷ ସପ୍ତାହ କିମ୍ବା ଜୁନ ପ୍ରଥମ ସପ୍ତାହ ବେଳକୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥାଏ । କିନ୍ତୁ ଚଳିତବର୍ଷ କରୋନା ଭୂତାଣୁ ମହାମାରୀ ଯୋଗୁ ଖାତା ଦେଖା ବିଳମ୍ବ ହେବା ସହିତ ଫଳ ପ୍ରକାଶ ମଧ୍ୟ ବିଳମ୍ବିତ ହୋଇଛି। ଚଳିତବର୍ଷ ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ୨୮୮୮ କେନ୍ଦ୍ରରେ ମୋଟ ୫ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ମାଟ୍ରିକ ଫଳ ପ୍ରକାଶକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ଥିଲେ। କିନ୍ତୁ ବୋର୍ଡ ସଭାପତିଙ୍କ ଘୋଷଣା ଏବେ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଚଳିତ ବର୍ଷ କରୋନା ପାଇଁ ଶିକ୍ଷା କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ଚାରି ମାସ ଧରି ସ୍କୁଲ କଲେଜ ବନ୍ଦ ହୋଇ ରହିଛି । ତେବେ ବେଶୀ ଚିନ୍ତାରେ ଯୁକ୍ତ ଦୁଇ ଓ ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ପଡ଼ିଯାଇଛନ୍ତି ।
Comments are closed.