କିସ୍ର ସଫଳତା: ମାଟ୍ରିକ ପରୀକ୍ଷାରେ ସଫଳତା ହାର ୯୮%

ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ୍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। କିସ୍ର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ ହାର ୭୮.୭୬ ପ୍ରତିଶତ ରହିଛି।
ଓଡ଼ିଶା ମାଧ୍ୟମିକ ଶିକ୍ଷବୋର୍ଡ ଦ୍ଵାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ୧୯୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି। କିସରେ ପଢୁଥିବା ଆଦିମ ଜନଜାତି ଛାତ୍ର ଯୋଗେଶ କାଡରାକା ସର୍ବାଧିକ ୯୦ ପ୍ରତିଶତ ନମ୍ବର ରଖି ସ୍କୁଲ ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ଦେବରାଜ ମାଝୀ ମଧ୍ୟ ଗଣିତରେ ସର୍ବାଧିକ ୯୯ ନମ୍ବର ସହ ୯୦ ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପ୍ପର ହୋଇଛନ୍ତି।
୨୦୦୦ରୁ ୨୦୨୦ ଦୀର୍ଘ ୨୧ ବର୍ଷ ଧରି ଲଗାତର କିସ୍ର ପିଲାମାନେ ପାଖାପାଖି ଶତପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି। ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୪ଶହ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି।
କିସ୍ ଫଳାଫଳ ନେଇ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ଶହ କିସର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି। ଶ୍ରୀ ସାମନ୍ତ କିସ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Comments are closed.