ଓଡ଼ିଶାର ଅନ୍ଲକ୍-୩: ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। କେନ୍ଦ୍ର ସରକାରଙ୍କ ପରେ ଆଜି ରାଜ୍ୟ ସରକାର ଜାରି କରିଛନ୍ତି ଅନ୍ଲକ୍-୩ ଗାଇଡଲାଇନ୍। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ କଟକଣା ରହିବ। ଅର୍ଥାତ ଜରୁରୀ ସେବା ଓ ଯାତାୟାତକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ। ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବପରି ଚାଲୁ ରହିବ। ଜାତୀୟ ରାଜପଥ କଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।
ସେ ଆହୁରି କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନରେ ଲକଡାଉନ ସଂପୂର୍ଣ୍ଣ ଭାବେ ଲାଗୁ ରହିବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଲାଗିବ। ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ସାମାଜିକ ଓ ରାଜନୀତିକ କାର୍ଯ୍ୟ ବନ୍ଦ ରହିବ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ। ପାଠ ପଢ଼ା ବନ୍ଦ ରହିଲେ ବି ପରୀକ୍ଷା କରାଯାଇ ପାରିବ।
ଏଥିସହିତ ଅଗଷ୍ଟ ୫ରୁ କଟକଣା ମଧ୍ୟରେ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ୪ ଜିଲ୍ଲା ଓ ରାଉରକେଲା ସହରରେ ସପ୍ତାହନ୍ତ ସଟ୍ଡାଉନ ବଳବତ୍ତର ରହିବ ବୋଲି ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ୍ ରହିବ। ଅଗଷ୍ଟ ୧ ଓ ୨ରେ କୋହଳ ହେବ ସପ୍ତାହନ୍ତ ସଟ୍ଡାଉନ ନିୟମ। ସଟ୍ଡାଉନ ସତ୍ତ୍ବେ ସକାଳ ୫ଟାରୁ ଦିନ ୧ଟା ଯାଏ ଖୋଲି ପାରିବ ଦୋକାନ ବୋଲି ସୂଚନା ରହିଛି।
ଏଥିସହିତ ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ବାରାଣ୍ଟିନରେ ରହିବେ ନାହିଁ। ୩ ଦିନରୁ ଅଧିକ ଅର୍ଥାତ୍ ୭୨ ଘଣ୍ଟାରୁ ଅଧିକ ସମୟ ପାଇଁ କେହି ରହିଲେ ସେମାନଙ୍କୁ କ୍ବାରାଣ୍ଟିନରେ ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ସେଲୁନ, ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ। ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିବେନି। ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ରହିବେନି। ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକ ରହିପାରିବେନି। ବାହାଘର, ଶୁଦ୍ଧିରେ ଗାଇଡଲାଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।
Comments are closed.