ରାମ ଜନ୍ମଭୂମି ଆନ୍ଦୋଳନର ୧୦ ଜଣ ବିସ୍ମୃତ ନାୟକ
ଗତ ଶତାବ୍ଦୀର ଅଶୀ ଦଶକରୁ ରାମ ଜନ୍ମଭୂମି ଆନ୍ଦୋଳନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲା ଆର୍ଏସ୍ଏସ୍-ବିଜେପି ଯୋଡ଼ି। ସେତେବେଳେ ତାମିଲନାଡ଼ୁର ଏକ ଗାଁରେଏକ ଗଣଧର୍ମାନ୍ତରୀକରଣ ଘଟଣା ଏ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ରାଷ୍ଟ୍ରୀୟ ସ୍ବୟସେବକ ସଂଘ, ବିଶ୍ବହିନ୍ଦୁ ପରିଷଦ, ସେତେବେଳେ ନବଗଠିତ ଭାରତୀୟ ଜନତା ପାର୍ଟି, ବଜରଙ୍ଗ ଦଳ ଓ ଆଉ କିଛି ହିନ୍ଦୁ ସଂଗଠନ ମିଳିତ ଭାବରେ ରାମ ଜନ୍ମଭୂମି ପ୍ରସଙ୍ଗକୁ ଏକ ଶକ୍ତିଶାଳୀ ସାମାଜିକ-ରାଜନୈତିକ ଆନ୍ଦୋଳନରେ ରୂପାନ୍ତରିତ କରିବାରେ ସମର୍ଥ ହୋଇଥିଲେ। ପ୍ରାୟ ୩ ଦଶନ୍ଧିରୁ ଅଧିକ ସମୟର ପ୍ରତୀକ୍ଷା ପରେ ଆଜି ସେ ସ୍ବପ୍ନ ସାକାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ରାମ ମନ୍ଦିରର ମୂଳଦୁଆ ପକାଇ ଆନୁଷ୍ଠାନିକ ଭାବେ ଏହାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ତେବେ ଅଶୀ ଦଶକରୁ ଏଯାବତ ନିଜର ସମର୍ଥକଙ୍କୁ ରାମ ମନ୍ଦିର ନିର୍ମାଣର ପ୍ରତିଶ୍ରୁତି ଦେଇ ଆସିଥିବା ଓ ସେ ପ୍ରତିଶ୍ରୁତି ପୂରଣ ପାଇଁ ନିରନ୍ତର ଉଦ୍ୟମ କରି ଆସିଥିବା ନେତାମାନେ ଆଜି ପ୍ରାୟ ବିସ୍ମୃତ ହୋଇ ଯାଇଛନ୍ତି। ରାମ ମନ୍ଦିର ନିର୍ମାଣ ସଫଳତା ପଛରେ ଥିବା ସେମିତି ୧୦ ଜଣ ବ୍ୟକ୍ତିତ୍ବଙ୍କ ବିଷୟରେ ଆମେ ଏ ଆଲେଖରେ ଆଲୋଚନା କରିବା।
ଲାଲ୍କୃଷ୍ଣ ଆଡ଼ଭାନୀ
ରାମ ମନ୍ଦିର ନିର୍ମାଣ କଥା ପଡ଼ିଲେ ପ୍ରଥମେ ଲାଲ୍କୃଷ୍ଣ ଆଡ଼ଭାନୀଙ୍କ ନାମ ହିଁ ସ୍ମରଣ ହୁଏ। ‘ହିନ୍ଦୁତ୍ବ’ର ପୋଷ୍ଟର ବଏ ଭାବେ ଜଣାଶୁଣା ଆଡ଼ଭାନୀ ୧୯୯୦ରେ ଗୁଜରାଟର ସୋମନାଥ ମନ୍ଦିର ଠାରୁ ଏକ ରଥଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ପ୍ରଦକ୍ଷଣ କରି ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶେଷ କରିଥିଲେ। ଏକ ବସ୍କୁ ରଥର ରୂପ ଦେଇ ତାଙ୍କର ଏ ଯାତ୍ରା ରାମ ଜନ୍ମଭୂମି ପାଇଁ ସାଧାରଣ ଜନତାଙ୍କ ମନରେ ଏକ ନୂଆ ଆଶା ସଂଚାର କରିଥିଲା। ବିହାରର ସମଷ୍ଟିପୁର ଜିଲ୍ଲାରେ ତାଙ୍କୁ ଗିରଫ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ନିର୍ଦ୍ଦେଶ ଦେଇଥିଲେ। ଦୁଇ ବର୍ଷ ପରେ କରସେବକଙ୍କ ବାବ୍ରୀ ମସ୍ଜିଦ୍ ଭଙ୍ଗାହେବା ବେଳେ ମଧ୍ୟ ବିଜେପି ଓ ଭିଏଚ୍ପିର ସମର୍ଥକଙ୍କୁ ଉତ୍ସାହିତ କରିବାକୁ ଆଡ଼ଭାନୀ ଅଯୋଧ୍ୟାରେ ପହଞ୍ଚିଥିଲେ। ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲାରେ ଏବେ ବି ତାଙ୍କ ବିରୋଧରେ ଆପରାଧିକ ବିଚାର ଚାଲିଛି।
ପ୍ରମୋଦ ମହାଜନ
ବିଜେପିର ଜ୍ଞାନଦାତା ଭାବେ ଜଣାଶୁଣା ସ୍ବର୍ଗତ ପ୍ରମୋଦ ମହାଜନ ରାମ ମନ୍ଦିର ପ୍ରସଙ୍ଗରେ ଆଡ଼ଭାନୀଙ୍କର ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ଆଡ଼ଭାନୀ ପ୍ରଥମେ ପଦଯାତ୍ରା କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଏହାକୁ ରଥଯାତ୍ରାରେ ପରିଣତ କରିଥିଲେ ମହାଜନ। ୧୯୯୦ରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ଥିବା ମହାଜନ ରଥଯାତ୍ରାର ଆରମ୍ଭ ତାରିଖ ସେପ୍ଟେମ୍ବର ୨ (ବିଜେପି ଆଦର୍ଶ ଦିନଦୟାଲ ଉପାଧ୍ୟାୟଙ୍କ ସ୍ବନକ୍ଷତ୍ର) କରିବାକୁ ପରାମର୍ଶ ଦେଇଥିଲେ। ରଥଯାତ୍ରାର ରୂପରେଖ ଠାରୁ ଅନ୍ୟାନ୍ୟ ବହୁବିଧ ଯୋଜନା ମହାଜନଙ୍କର ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିଲା।
ଅଶୋକ ସିଂଘଲ
ବିଶ୍ବ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଥିବା ସ୍ବର୍ଗତ ଅଶୋକ ସିଂଘଲ ରାମ ଜନ୍ମଭୂମି ଆନ୍ଦୋଳନର ଥିଲେ ଅନ୍ୟତମ ସୂତ୍ରଧର। ଅନେକେ ତାଙ୍କୁ ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ମୁଖ୍ୟ ପୁରୋଧା ବୋଲି ମନେକରନ୍ତି। ୨୦୧୧ ମସିହା ଯାଏଁ ସେ ଭିଏଚ୍ପିର ମୁଖ୍ୟ ଥିଲେ। ନବେ ଦଶକରେ ରାମ ମନ୍ଦିର ପାଇଁ ଇଟା ସଂଗ୍ରହରେ ଭିଏଚ୍ପିର ମୁଖ୍ୟ ଭୂମିକା ଥିଲା। ଏବେ ରାମ ମନ୍ଦିର ଭୂମିପୂଜା ପାଇଁ ଏହି ଅନୁଷ୍ଠାନ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ମାଟି ଓ ପାଣି ସଂଗ୍ରହ କରିଛି।
ମୂରଲୀ ମନୋହର ଯୋଶୀ
ବାବ୍ରୀ ମସ୍ଜିଦ୍ ଭଙ୍ଗାହେବା ବେଳେ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ ଅଯୋଧ୍ୟାରେ ଆଡ଼ଭାନୀଙ୍କ ସାଙ୍ଗରେ ଥିଲେ। ତାଙ୍କ ବିରୋଧରେ ମଧ୍ୟ ଏବେ ଆପରାଧିକ ମାମଲା ଚାଲିଛି। ବାବ୍ରୀ ମସ୍ଜିଦ୍ ଭାଙ୍ଗିବା ପରେ ଯୋଶୀ ଖୁସିରେ ଉମାଭାରତୀଙ୍କ କୁଣ୍ଢେଇବାର ଫଟୋ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଆନ୍ଦୋଳନରେ ପ୍ରଥମରୁ ସଂପୃକ୍ତ ଯୋଶୀ ବାରମ୍ବାର ଅଯୋଧ୍ୟା ଯିବା ସହ ଏହି ଆନ୍ଦୋଳନ ପାଇଁ ଆଡଭାନୀଙ୍କ ସହ ବିଭିନ୍ନ ରାଜ୍ୟ ବି ଭ୍ରମଣ କରିଥିଲେ।
ଉମା ଭାରତୀ
ରାମ ମନ୍ଦିର ଆନ୍ଦୋଳନର ସବୁଠୁ ପ୍ରଭାବଶାଳୀ ମହିଳା ନେତ୍ରୀ ହେଉଛନ୍ତି ଉମା ଭାରତୀ। ବାବ୍ରୀ ମସ୍ଜିଦ୍ ଭଙ୍ଗା ଘଟଣାରେ ତାଙ୍କର ସଂପୃକ୍ତି ନେଇ ଇଙ୍ଗିତ କରିଥିଲେ ଲିବରହାନ୍ କମିଶନ୍। ବିଜେପି ରାମ ମନ୍ଦିର ଭୂମିପୂଜାକୁ ନେଇ ଉତ୍ସାହିତ ଥିବା ବେଳେ ଓ ଏ ସଫଳତା ପାଇଁ ଦଳ ବାହାଦୂରୀ ନେଉଥିବା ବେଳେ ଗତକାଲି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଉମାଭାରତୀ। ମଙ୍ଗଳବାର ଉମା କହିଛନ୍ତି ଯେ ଭଗବାନ ରାମ କୌଣସି ନିର୍ଦ୍ଦିଷ୍ଟ ଦଳର ସମ୍ପତ୍ତି ନୁହନ୍ତି।
ସାଧ୍ବୀ ଋତୁମ୍ଭରା
ଉମା ଭାରତୀଙ୍କ ପରେ ଯଦି କେଉଁ ମହିଳାଙ୍କର ନାମ ଏ ଆନ୍ଦୋଳନରେ ପ୍ରଥମେ ଆସେ ସେ ହେଉଛନ୍ତି ଅଗ୍ନୀବର୍ଷୀ ହିନ୍ଦୁତ୍ବ ନେତ୍ରୀ ସାଧ୍ବୀ ଋତୁମ୍ଭରା। ନିଜ ଭାଷଣରେ ସମର୍ଥକଙ୍କୁ ତତେଇବା ମତେଇବାରେ ସେ ବେଶ୍ ପାରଙ୍ଗମ। ତାଙ୍କର ଅଡିଓ କ୍ୟାସେଟ୍ ସବୁ ସେତେବେଳେ ବଜାରରେ ବିକ୍ରି ହେଉଥିଲା।
କଲ୍ୟାଣ ସିଂହ
ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଅଯୋଧ୍ୟା ଆନ୍ଦୋଳନର ଅନ୍ୟତମ ପରଦା ପଛର ନାୟକ ଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ହିଁ ବାବ୍ରୀ ମସ୍ଜିଦ୍ ଭଙ୍ଗା ଯାଇଥିଲା। ଅଯୋଧ୍ୟା ଆଡ଼କୁ କରସେବକମାନେ ଯାତ୍ରା କରୁଥିବା ବେଳେ ତାଙ୍କ ସରକାର ସେମାନଙ୍କୁ ନ ଅଟକାଇବା ଲାଗି ନିଷ୍ପତ୍ତି ନେଇଥିଲା। ଅବଶ୍ୟ ପରେ ସେ ବିଜେପି ମୁଖିଆମାନଙ୍କ ଅଣଦେଖାର ପାତ୍ର ହୋଇ ବିପ୍ଲବୀ ନେତା ଭାବେ ନିଜର ଦଳ ଗଢ଼ିଥିଲେ। ଶେଷ ସମୟରେ ପୁଣି ବିଜେପିକୁ ଫେରି ସେ ରାଜ୍ୟପାଳ ହୋଇଥିଲେ।
ବିନୟ କଟିଆର
ରାମ ମନ୍ଦିର ଆନ୍ଦୋଳନକୁ ତୀବ୍ର କରିବା ପାଇଁ ୧୯୮୪ରେ ଜନ୍ମିତ ବଜର୍ଗ ଦଳର ପ୍ରଥମ ଅଧ୍ୟକ୍ଷ ଥିଲେ ବିନୟ କଟିଆର। ଦେଶବ୍ୟାପୀ ବଜରଙ୍ଗ ଦଳର ପ୍ରସାର ଓ ରାମ ଜନ୍ମଭୂମି ଆନ୍ଦୋଳନର ଶକ୍ତି ବୃଦ୍ଧି କଟିଆରଙ୍କୁ ମଧ୍ୟ ଶକ୍ତିଶାଳୀ କରିଥିଲା। ୧୯୯୨ ବାବ୍ରୀ ମସ୍ଜିଦ୍ ଘଟଣା ପରେ ସେ ବିଜେପିର ମହାସଚିବ ପଦ ପାଇଥିଲେ। ୧୯୯୧, ୧୯୯୬ ଓ ୧୯୯୯ରେ ସେ ଅଯୋଧ୍ୟା (ଫଇଜାବାଦ) ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୨ରେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ।
ପ୍ରବୀଣ ତୋଗାଡ଼ିଆ
ମାତ୍ର ୧୦ ବର୍ଷ ବୟସରେ ଆର୍ଏସ୍ଏସ୍ରେ ଯୋଗ ଦେଇଥିବା ପ୍ରବୀଣ ତୋଗାଡ଼ିଆ ପରେ ବିଶ୍ବ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଥିଲେ। ଆଡ଼ଭାନୀଙ୍କର ବେଶ୍ ଘନିଷ୍ଠ ତୋଗାଡ଼ିଆ ରାମ ମନ୍ଦିର ଆନ୍ଦୋଳନର ଜଣେ ଅଗ୍ନିବର୍ଷୀ ନେତା ଭାବେ ଜଣାଶୁଣା। ତେବେ ବିଜେପିରେ ଆଡ଼ଭାନୀଙ୍କ କାଟତି କମିବା ପରେ ନିଜକୁ ସଂଘ ପରିବାରରେ ଅଣଦେଖା ମନେକରି ସେ ଦଳ ଓ ସଂଘ ଠାରୁ ଦୂରେଇଯାଇ ଅନ୍ତର୍ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ନାମରେ ଅନୁଷ୍ଠାନ ଗଢ଼ି ଏବେ ଏହାର ଅଧ୍ୟକ୍ଷ ଅଛନ୍ତି।
ବିଷ୍ଣୁ ହରି ଡାଲମିୟା
ହିନ୍ଦୁତ୍ବ ରାଜନୀତିର ଜଣେ ବଡ଼ ପୃଷ୍ଠପୋଷକ ଥିଲେ ଶିଳ୍ପପତି ବିଷ୍ଣୁହରି ଡାଲମିୟା। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଆନ୍ଦୋଳନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା। ସେ ବିଶ୍ବ ହିନ୍ଦୁ ପରିଷଦର ବିଭିନ୍ନ ପଦପଦବିରେ ଥିଲେ। ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲାରେ ତାଙ୍କ ବିରୋଦରେ ମଧ୍ୟ ଅଭିଯୋଗ ଥିଲା। ତେବେ ଗତବର୍ଷ ତାଙ୍କର ଦେହାନ୍ତ ହେଲା।
Comments are closed.