ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ରାଜନାଥ ସିଂହ
ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଶ୍ରୀ ସିଂହ ଆଜିର ଘୋଷଣାରେ ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେବାକୁ ପ୍ରସ୍ତୁତ ଅଛି। ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିରକ୍ଷା ମନ୍ତ୍ରାଳୟ ୧୦୧ରୁ ଅଧିକ ରକ୍ଷା ଉପକରଣର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ଶ୍ରୀ ସିଂହ କହିଛନ୍ତି।
ଲଦାଖରେ ଥିବା ଆକ୍ଟୁଆଲ୍ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆର୍ଟିଲିରି ବନ୍ଧୁକ, ହାଲୁକା ଯୁଦ୍ଧ ହେଲିକପ୍ଟର, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ରାଡାର, ସଶସ୍ତ୍ର ଯୁଦ୍ଧ ଯାନ, ପରିବହନ ବିମାନ ସମତେ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ବର୍ତ୍ତମାନଠାରୁ ଅନ୍ୟ ଦେଶରୁ ଆମଦାନୀ ହେବ ନାହିଁ। ଏହି ସବୁ ଉପକରଣ ସ୍ୱଦେଶୀ ଭାବରେ ଭାରତରେ ଉତ୍ପାଦିତ ହେବାର ଯୋଜନା ରହିଛି।
ଗତ ୫ ବର୍ଷ ମଧ୍ୟରେ ପ୍ରାୟ ସାଢେ଼ ୩ ଲକ୍ଷ କୋଟି ଟଙ୍କାର ଏଭଳି ସାମଗ୍ରୀ ଆମଦାନୀ କରାଯାଇଛି। ଆଗାମୀ ୬/୭ ବର୍ଷରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କରିବାର ଲକ୍ଷ୍ୟ ବି ରହିଛି। କିନ୍ତୁ ଆମଦାନୀ ଉପରେ କଟକଣା ଲାଗିଲେ ଘରୋଇ ଶିଳ୍ପସଂସ୍ଥା ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ଶ୍ରୀ ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ସମ୍ପର୍କରେ ଘୋଷଣା କରିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ କମ୍ପାନୀ, ଏଜେନ୍ସୀ ଓ ସେନା ସହ ଆଲୋଚନା କରିଥିଲେ। ଭାରତରେ କେଉଁଭଳି ସାମଗ୍ରୀ ଉତ୍ପାଦନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ଫଳରେ ୧୦୧ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନିଆଯାଇଛି।
Comments are closed.