କରୋନା ଆକ୍ରାନ୍ତ ହୋଇ ଚାଲିଗଲେ ରାହତ ଇନ୍ଦୋରୀ

ଇନ୍ଦୋର: କରୋନାରେ ଆକ୍ରାନ୍ତ ହେବା ପରେ ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ହିନ୍ଦୀ ସିନେମା ଗୀତ ଲେଖକ ରାହତ ଇନ୍ଦୋରୀଙ୍କର ପରଲୋକ ହୋଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ଗତକାଲି ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଆଜି ଅପରାହ୍ଣରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।
ଇନ୍ଦୋରୀ କରୋନା ଆକ୍ରାନ୍ତ ବୋଲି ନିଜେ ଆଜି ସକାଳେ ଟୁଇଟ୍ କରି ଜଣାଇଥିଲେ। ତେବେ ଆଜି ତାଙ୍କର ଦୁଇଥର ହୃଦଘାତ ହେବାରୁ ମୃତ୍ୟୁ ହୋଇଛି ବୋଲି ଇନ୍ଦୋରୀଙ୍କୁ ଚିକତ୍ସା କରୁଥିବା ଶ୍ରୀ ଅରବିନ୍ଦ ହସ୍ପିଟାଲ ପକ୍ଷରୁ କହାଯାଇଛି।
ଜଣେ ଉର୍ଦ୍ଦୁ କବି ଭାବେ ଦେଶ ଓ ଦେଶ ବାହାରେ ଜଣାଶୁଣା ରାହତ ଇନ୍ଦୋରୀ ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଥିଲେ। ନିଜର ସାମାଜିକ-ରାଜନୈତିକ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚା ଓ ବିତର୍କରେ ରହି ଆସିଥିଲେ ଇନ୍ଦୋରୀ। ତାଙ୍କ ମୃତ୍ୟୁରେ ସାହିତ୍ୟ ମହଲ ଓ ତାଙ୍କର ପ୍ରଶାଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
୧ ଜାନୁଆରି ୧୯୫୦ରେ ଇନ୍ଦୋରରେ ଜନ୍ମିତ ରାହତ ଇନ୍ଦୋରୀ ଜଣେ ଉର୍ଦ୍ଦୁ କବି ଭାବେ ଯେତିକି ପରିଚିତ ବଲିଉଡ୍ରେ ଗୀତ ଲେଖକ ଭାବେ ମଧ୍ୟ ତାଙ୍କର ସମାନ ପ୍ରସିଦ୍ଧି ରହିଛି। ବୃତ୍ତିରେ ଉର୍ଦ୍ଦୁ ପ୍ରାଧ୍ୟାପକ ଥିବା ଇନ୍ଦୋରୀ ଜଣେ ଚିତ୍ରକର ମଧ୍ୟ। ସେ ‘ମେ ତେରା ଆଶିକ୍’, ‘ଜନମ୍’, ‘ଖୁଦ୍ଦାର’, ମର୍ଡର’, ‘ମୁନ୍ନାଭାଇ ଏମ୍ବିବିଏସ୍’, ‘ମିଶନ୍ କଶ୍ମୀର’, ଇସ୍କ, ଆଦି ୧୦ରୁ ଅଧିକ ହିନ୍ଦୀ ସିନେମାର ଗୀତ ରଚନା କରିଛନ୍ତି। ତାଙ୍କର ୬ଟି ଉର୍ଦ୍ଦୁ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି। ମୁଶାଇରା ଓ କବି ସମ୍ମେଳନ ମଞ୍ଚରେ ସେ ଅଧିକ ପ୍ରସିଦ୍ଧି ପାଇଥିଲେ। ଆମେରିକା, ୟୁରୋପ୍ ଓ ଅଷ୍ଟ୍ରେଲିଆ ସମେତ ୨୦ରୁ ଅଧିକ ଦେଶରେ ସେ ମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତାଙ୍କର “ବୁଲାତି ହେ ମଗର୍ ଜାନେ କା ନହିଁ ” ଗୀତଟି ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଥିଲା।
Comments are closed.