ଆଜି ସିଡବ୍ଲ୍ୟୁସି ବୈଠକ, ନୂତନ ଅଧ୍ୟକ୍ଷ ନେଇ ହୋଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନର ହୋଇପାରେ। ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହେଉ ଥିବା ବେଳେ। କଂଗ୍ରେସ ଅନ୍ତରୀଣ ସଭାପତି ପଦରୁ ଇସ୍ତଫା ଦେବା ଲାଗି ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଛନ୍ତି। ରାହୁଳ ଗାନ୍ଧୀଙ୍କୁ ଦଳର ଦାୟିତ୍ବ ଦେବା ନିମନ୍ତେ ଦଳ ଭିତରେ ଦାବି ବଢ଼ୁଛି। କିଛି ନେତା ଏଥିନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ଚର୍ଚ୍ଚା ହେଉଛି। ଏହି ସ୍ଥିତିରେ ଆଜି ବସିବାକୁ ଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି। ଏହି ବୈଠକରେ ଦଳର ନୂତନ ଅଧ୍ୟକ୍ଷ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ।
୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଳ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଇସ୍ତଫା ଦେଇଥିଲେ। ଯଦିଓ ତାଙ୍କୁ ୨୦୨୨ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା, ତଥାପି ରାହୁଳ ନିଜ ପଦ ଛାଡ଼ିଥିଲେ। ଏହାକୁ ନେଇ ଦଳର କାର୍ଯ୍ୟକର୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସେ ପୁଣି ଦଳର ସଭାପତି ହୁଅନ୍ତୁ ବୋଲି କିଛି ନେତା ଏଆଇସିସି କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ମାତ୍ର ରାହୁଳ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଓ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଗତ ବର୍ଷାଧିକ କାଳ ଧରି ଦଳର ଯୁବନେତା ମାନେ ରାହୁଳଙ୍କୁ ପୁଣି ଦଳର ସଭାପତି କରିବା ନେଇ ଦାବି କରି ଆସୁଛନ୍ତି। ସୂଚନା ଅନୁସାରେ, ଦଳର କିଛି ବରିଷ୍ଠ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀମାନେ ସୋନିଆଙ୍କୁ ଚିଠି ଲେଖି ଅନ୍ତରୀଣ ଅଧ୍ୟକ୍ଷ ପଦ ବ୍ୟବସ୍ଥାକୁ ଶେଷ କରି ପୂର୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରିଛନ୍ତି।
Comments are closed.