Odisha Link
Bridging the Missing Links in Odisha

ରୁପାରେ ଝଲସିବ ଶ୍ରୀ ମନ୍ଦିର କବାଟ

ପୁରୀ: ଝଲସିବ ଶ୍ରୀମନ୍ଦିର ଦ୍ବାର। ଶ୍ରୀମନ୍ଦିରରେ ଲାଗିବ ରୂପାର କବାଟ। ରୂପାରେ ଝଲସିବ ବଡ ଦେଉଳର ସାତଟି ଦ୍ୱାର। ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ। ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଛାଉଣି ଦିଆଯିବ।

ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର, ଏବଂ ବଡ ଦେଉଳର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ତିଆରି ହେବ। ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ। ଏବଂ କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ ବୋଲି ସୂଚନା ରହିଛି।

ଶ୍ରୀମନ୍ଦିରର ଏହିସବୁ ଦ୍ୱାରରେ ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ରୂପା ଲାଗିବ। ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି। ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍ କରିବେ। ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ୩ଟି ଦ୍ୱାରର କାମ କରାଯିବ। ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ। ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ। ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।

Comments are closed.