ଆସିଲା ଅନ୍ଲକ୍-୪ ଗାଇଡଲାଇନ୍: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାରି ମଧ୍ୟରେ ଆଜି ଅନ୍ଲକ୍-୪ ଦେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ।
ଗାଇଡଲାଇନ୍ ଅନୁସାରେ ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ଅନୁମତି ମିଳିଛି। ଏନେଇ ଖୁବଶୀଘ୍ର ଏସଓପି ଚାରି ହେବ। ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ମିଳିଛି। ଏଥିସହିତ ସେପ୍ଟେମ୍ବର ୨୧ରୁ କଟକଣା ମାନି ସଭା, ସମିତି ଓ ଉତ୍ସବ ଚାଲିପାରିବ। ସଭା ସମିତିରେ ଶହେରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ।
ସେପ୍ଟେମ୍ବର ୩୦ ଯାଏଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନଲାଇନ୍ ଶିକ୍ଷାଦାନ ପାଇଁ ୫୦% କର୍ମଚାରୀ ସ୍କୁଲକୁ ଆସିପାରିବେ। ଏଣିକି ଶିକ୍ଷା ପରାମର୍ଶ ପାଇଁ ସ୍କୁଲ ଆସିପାରିବେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା। ସ୍କୁଲକୁ ଆସିବା ପାଇଁ କାହାରିକୁ ବାଧ୍ୟ କରାଯିବ ନାହିଁ। ଏଥିପାଇଁ ଛାତ୍ରଙ୍କୁ ପିତାମାତାଙ୍କ ଲିଖିତ ସହମତି ଆଣିବା ଜରୁରୀ। ଆଇଟିଆଇ ଭଳି ଦକ୍ଷତା ଓ ତାଲିମ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି।
କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ୍ ହୋଇପାରିବ ନାହିଁ। ଲକଡାଉନ୍ ନିହାତି ଜରୁରୀ ହେଲେ କେନ୍ଦ୍ରର ଅନୁମତି ନେବାକୁ ହେବ। ସିନୋମ ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ରହିବ।
Comments are closed.