କରୋନା କାଳରେ ଗରିବ ଓ ଅସହାୟଙ୍କ ପାଇଁ ବରଦାନ ସଦୃଶ ହୋଇଛି ପିଏମଜିକେୱାଇ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ: କରୋନା ମହାମାରୀର ଆହ୍ୱାନମୂଳକ ସମୟରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(ପିଏମଜିକେୱାଇ) ମାଧ୍ୟମରେ କୋଭିଡ-୧୯ ଦ୍ୱାରା ଆର୍ଥିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆର୍ଥିକ ସହାୟତା ସ୍ୱରୂପ ସିଧାସଳଖ ବ୍ୟାଙ୍କ୍ ଆକାଉଂଟକୁ ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ଗରିବ କଲ୍ୟାଣ ଯୋଜନା ଗାଁ, ଗରିବ, ଚାଷୀ, ଶ୍ରମିକଙ୍କ ଅସୁବିଧାକୁ ଦୂର କରିବା ସହ ସମସ୍ତଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକମାନେ ଯେପରି କୋଭିଡ଼-୧୯ ଆହ୍ୱାନର ମୁକାବିଲା କରିପାରିବେ ସେଥିପାଇଁ ମୋଦି ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ-୧୯ ସମୟରେ “କେହି ଭୋକିଲାରେ ନରୁହନ୍ତୁ”,ଏହାକୁ ସୁନିଶ୍ଚିତ କରିଛି। ଏହି ଯୋଜନାରେ ମାଗଣା ଖାଦ୍ୟାନ୍ନ ଓ ସାମଗ୍ରୀ ଯୋଗାଣର ଅବଧି ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ହେବା ଦ୍ୱାରା ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। ସେହିପରି ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୮ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଗରିବ ଲୋକଙ୍କ ଆର୍ଥିକ ବୋଝକୁ ଲାଘବ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧୨ କୋଟିରୁ ଉର୍ଦ୍ଧ୍ୱ ମାଗଣା ଏଲପିଜି ସିଲିଣ୍ଡର ଗରିବ ପରିବାରଙ୍କୁ ଯୋଗାଇ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳା ହିତାଧିକାରୀଙ୍କ ଆକାଉଌକ୍ଷଗ୍ଧ;କୁ ୨୦.୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ୮.୫ କୋଟି ଚାଷୀ ଏବଂ ୩ କୋଟି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରୋନା ସମୟରେ ଥିବା କଷ୍ଟରୁ ଉଦ୍ଧାର କରିଛି। ମନରେଗା ଅଧୀନରେ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ପାରିଶ୍ରମିକ ବୃଦ୍ଧି ଶ୍ରମିକଙ୍କୁ ବାର୍ଷିକ ଅତିରିକ୍ତ ୨ ହଜାର ଟଙ୍କା ପ୍ରଦାନ କରିବ ଏବଂ ଏହାଦ୍ୱାରା ୧୩.୬୨ କୋଟି ପରିବାର ଲାଭବାନ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ଗଠିତ କଲ୍ୟାଣ ପାଣ୍ଠି ଦ୍ୱାରା ୩.୫ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକ ଲାଭ ପାଇବେ।
ଶ୍ରୀ ପ୍ରଧାନ କହିଛନ୍ତି ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ୫୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ୧୨୫ ଦିନର ଅଭିଯାନ ଉପରେ ଗୁରୁତ୍ୱ ଦିଅ।।ଯାଇ କାର୍ଯ୍ୟାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରୋଜଗାର ଅଭିଯାନରେ ୧୬,୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ୨୧ କୋଟି ଶ୍ରମ ଦିବସର ନିଯୁକ୍ତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛି। ୨୦୨୦ ଜୁଲାଇରେ ଶୁଭାରମ୍ଭ ହେବା ପର ଠାରୁ ଏହି ଯୋଜନାରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀଙ୍କ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି।
ଗୋଟିଏ ଦେଶ ଗୋଟିଏ ବଜାର, କିଷାନ କ୍ରେଡ଼ିଟ୍ କାର୍ଡ଼ ଜରିଆରେ ଚାଷୀଙ୍କୁ ରିହାତି ଦରରେ ଋଣ, କୃଷି ଭିତ୍ତିଭୂମି ପାଣ୍ଠି ଗଠନ ଭଳି କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଅନ୍ନଦାତାଙ୍କୁ ସୁବିଧା ଯୋଗାଇଛି ଏବଂ ଚାଷୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଉନ୍ନତି ପାଇଁ ସହଯୋଗ କରିଛି। ଦେଶ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ନଗଦ ପାଣ୍ଠିର ସହାୟତା, ଏମଏସଏମଇ, ବ୍ୟବସାୟୀ ଏବଂ ଶ୍ରମିକ ମାନଙ୍କୁ ଇପିଏଫ ସହାୟତା, ଗୃହ ନିର୍ମାଣ କ୍ଷେତ୍ର ଏବଂ ମଧ୍ୟବିତ୍ତ ଆୟ ଶ୍ରେଣୀ, କାମ୍ପା ଫଣ୍ଡ ଅଧୀନରେ ଜନଜାତିଙ୍କ ପାଇଁ ୬ ହଜାର କୋଟି ମୂଲ୍ୟର ବ୍ୟବସ୍ଥା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମସ୍ତଙ୍କ ସମସ୍ୟାକୁ ସମାଧାନ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜନସାଧାରଣ ବିଶେଷତଃ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ କଟିବଦ୍ଧ। ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସକୁ ମୂଳ ମନ୍ତ୍ର କରି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କୁ ସବୁପ୍ରକାର ସୁରକ୍ଷା ଏବଂ ନିରନ୍ତର ସମର୍ଥନ ଯୋଗାଉଛି ଏବଂ ଏହି ଯୋଜନା ସାଧାରଣ ଲୋକଙ୍କ ପ୍ରତି ମୋଦି ସରକାରଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି।
Comments are closed.