Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଏନେଇ ଟୁଇଟ୍‌ କରି ସୂଚନା ଦେଲେ ପ୍ରଣବଙ୍କ ପୁଅ ଅଭିଜିତ। ୮୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ପ୍ରଣବ।

ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ରକ୍ତ ଟେଳାଟିକୁ ବାହାର କରିବାକୁ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା।

ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲିଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆଜି ସକାଳେ ଅବନତି ଘଟିଥିଲା। ଏ ନେଇ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଡାକ୍ତରଖାନା ଅନୁଯାୟୀ, ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ମୁଖାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୨୦ଦିନ ପରେ ବି ସେ କୋମାରେ ଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା ।

Comments are closed.