Odisha Link
Bridging the Missing Links in Odisha

୭ରେ ହେବ ବର୍ଷା ଅନୁଭବ ମାମଲାର ଶୁଣାଣି

ଭୁବନେଶ୍ୱର: ଆସନ୍ତା ୭ରେ କଟକ ଏସଡ଼ିଜେଏମ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମାମଲାର ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ମାମଲାର ଶୁଣାଣି ପୂର୍ବରୁ ଉଭୟ ଏନେଇ ଗଣମାଧ୍ୟମ ସାମ୍ନାକୁ ଆସିବେନି ବୋଲି କୁହାଯାଉଛି।

ଆଜି ବର୍ଷା ପ୍ରି୍ରୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପ୍ରସଙ୍ଗ ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଗତ ଅଗଷ୍ଟ ୭ରେ ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ମାମଲା ଦାଏର କରିଥିଲେ। ୯୪/୨୦୨୦ରେ ମାମଲାଟି ପଞ୍ଜୀକରଣ ହୋଇଥିବା ଇ-କୋର୍ଟସ ବିବରଣୀରୁ ଜଣାପଡ଼ିଛି। ବର୍ଷାଙ୍କ ପକ୍ଷରୁ ଓକିଲ ଆରକେ ରଥ ମାମଲା ପରିଚାଳନା କରିବେ। ତେବେ ଅନୁଭବଙ୍କ ପକ୍ଷରୁ କିଏ ମାମଲା ପରିଚାଳନା କରିବେ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ବର୍ଷା ତାଙ୍କ ଅଭିଯୋଗରେ କ’ଣ ଦର୍ଶାଇଛନ୍ତି ସେ ସଂକ୍ରାନ୍ତୀୟ କାଗଜପତ୍ର ଆମର ହସ୍ତଗତ ହୋଇପାରିନାହିଁ। ତେବେ କେତେକ ଦୈନିକ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡ଼ ରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବି ଦିଅନ୍ତି। ଏହାର ବିରୋଧ କରିବାରୁ ଅନୁଭବ ବର୍ଷାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରି ଦିଅନ୍ତି ବୋଲି ଖବର ପ୍ରକାଶ ପାଇଛି ।

ଖାଲି ସେତିକିନୁହେଁ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି। ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏନେଇ ବର୍ଷା ଓ ଅନୁଭବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ ।

Comments are closed.