Odisha Link
Bridging the Missing Links in Odisha

ସୀମା ବିବାଦକୁ ନେଇ ଭାରତକୁ ଦାୟୀ କଲା ଚୀନ, ଭାରତ ପକ୍ଷରୁ କଡା ଜବାବ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ନେଉନାହିଁ। ଋଷରେ ଭାରତୀୟ ଓ ଚୀନ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ୨ ଘଣ୍ଟାରୁ ଅଧିକ ସମୟ ଯାଏଁ ବୈଠକ ହୋଇଥିଲା। ବୈଠକରେ ପୂର୍ବ ଲାଦଖ ସୀମାରେ ଉତ୍ତେଜନା କମ କରିବାକୁ ଜୋର ଦିଆଯାଇଥିଲା। ବାର୍ତ୍ତା ସମୟରେ ରାଜନାଥ ସିଂହ ଲଦାଖରେ ଯଥାସ୍ଥିତି ବଜାୟ ରଖିବାକୁ ଏବଂ ସେନାକୁ ସେଠାରୁ ହଟାଇବା ଉପରେ ଜୋର ଦେଇଥିଲେ। ମାତ୍ର କୌଣସି ସମାଧାନ ବାହାରିନଥିଲା। ଓଲଟା ସୀମା ବିବାଦ ପାଇଁ ଚୀନ ଭାରତକୁ ଦୋଷୀ କହିଛି।ଏହାର ଉତ୍ତରରେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଛି।

ଚୀନ ରକ୍ଷା ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ଯେ, ଭାରତ ଚୀନ ମଧ୍ୟରେ ସୀମାରେ ଉତ୍ତେଜନାର କାରଣ ସ୍ପଷ୍ଟ, ଉତ୍ତେଜନା ପାଇଁ ଭାରତ ସମ୍ପୂର୍ଣ ଦାୟୀ। ଚୀନ ଜମି ଉପରେ କବଜା କରାଯାଇ ପାରିବନାହିଁ। ଚୀନ ସେନା କ୍ଷତ୍ରିୟ ଅଖଣ୍ଡତା ଓ ସୁରକ୍ଷା ପାଇଁ ସମ୍ପୂର୍ଣ ସକ୍ଷମ। ଭାରତୀୟ ସେନା ମଧ୍ୟ ନିଜ ବୟାନ ଜାରି କରି କହିଛି ଯେ, ଭାରତୀୟ ସେନା ବୀର ସେନା। ସବୁପ୍ରକାର ଚ୍ୟାଲେଞ୍ଜ ପାଇଁ ସର୍ବଦା ପ୍ରସ୍ତୁତ। ଭାରତୀୟ ସେନାଙ୍କ ପାଇଁ ରାଷ୍ଟ୍ର ସର୍ବୋପରି। ଭାରତୀୟ ସେନା ସବୁ ପ୍ରକାର ଚ୍ୟାଲେଞ୍ଜ ପାଇଁ ସକ୍ଷମ, ସମର୍ଥ ଓ ପ୍ରଭାବଶାଳୀ।

ଭାରତୀୟ ପ୍ରତିନିଧି ମଣ୍ଡଳ ଚୀନ ସେନାର ପେଙ୍ଗୋଙ୍ଗ ଉପତ୍ୟକାର ଦକ୍ଷିଣ ତଟରେ ଯଥାସ୍ଥିତି ବଦଳାଇବାକୁ ନୂଆ ପ୍ରୟାସ ଉପରେ ଆପତ୍ତି ଦର୍ଶାଇଥିଲେ। ବାର୍ତ୍ତା ମାଧ୍ୟମରେ ଗତିରୋଧ ସମାଧାନ ଉପରେ ଜୋର ଦେଇଥିଲେ। ଦୁଇ ରକ୍ଷା ମନ୍ତ୍ରୀ ଅଧିକ ସମୟ ଧରି ଚାଲି ଆସୁଥିବା ସୀମା ବିବାଦ ସମାଧାନ କରିବାକୁ ପ୍ରୟାସ କରିଥିଲେ। ରାଜନାଥ ସିଂହ କହିଥିଲେ, ସୀମାରେ ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱାସ ମାହୋଲ, ଅଣ-ଆକ୍ରମକତା, ଅନ୍ତର୍ଜାତୀୟ ନିୟମ ପ୍ରତି ସମ୍ମାନ ତଥା ମତଭେଦର ଶାନ୍ତିପୂର୍ଣ ସମାଧାନ ଆବଶ୍ୟକ।

ପୂର୍ବ ଲଦାଖ କ୍ଷେତ୍ରରେ ଅନେକ ସ୍ଥାନରେ ଭାରତ-ଚୀନ ସେନା ମଧ୍ୟରେ ଗତ ୪ ମାସ ହେଲା ଗତିରୋଧ ସ୍ଥିତି ରହିଛି। ୫ ଦିନ ପୂର୍ବରୁ ଚୀନ ପେଙ୍ଗୋଙ୍ଗରେ ଦକ୍ଷିଣ ତଟୀୟ କ୍ଷେତ୍ରରେ ଭାରତୀୟ କ୍ଷେତ୍ରରେ କବଜା କରିବାକୁ ଅସଫଳ ପ୍ରୟାସ କରିଥିଲା। ଏହାପରେ ସୀମାରେ ଉତ୍ତେଜନା ସ୍ଥିତି ଜାରି ରହିଛି।

Comments are closed.