ଏକାଠି ଥିବାର ପ୍ରମାଣ ଦେଲେ ବର୍ଷା: କହିଲେ, ମିଛ କହୁଛନ୍ତି ଅନୁଭବ!

ଭୁବନେଶ୍ବର: ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ବେଳେ ୨୦୧୯ ମେ ୧ ତାରିଖ ଠାରୁ ସେମାନେ ଅଲଗା ରହୁଥିବା ନିଜ ପିଟିସନ୍ରେ କହିଛନ୍ତି ଅନୁଭବ। ତେବେ ଏକ ଫେସବୁକ୍ ପେଜ୍ ମାଧ୍ୟମରେ ଏହାକୁ ଭୁଲ ବୋଲି କହିଛନ୍ତି ବର୍ଷା। ବର୍ଷାଙ୍କ ନାମରେ ଦୁଇଟି ଫେସବୁକ୍ ପେଜ୍ ଥିବା ବେଳେ ଏ ପୋଷ୍ଟ ନିଜେ ବର୍ଷା କରିଛନ୍ତି ନା ଆଉ କେହି ତାହା ସ୍ପଷ୍ଟ ହୋଇନାହିଁ।
ବର୍ଷା ପ୍ରିୟଦର୍ଶିନୀ ଫରଏଭର୍ ନାମକ ଫେସବୁକ୍ ପେଜ୍ରେ ଆଜି ସଂଧ୍ୟାରେ ହୋଇଥିବା ପୋଷ୍ଟରେ ବର୍ଷା ମେ ୧ ପରେ ମଧ୍ୟ ଅନୁଭବଙ୍କ ସହ ଥିଲେ ବୋଲି ଦାବି କରାଯାଇଛି। ଏପରିକି ଏକ ଫଟୋ ପୋଷ୍ଟ କରାଯାଇଛି ଓ ଦାବି କରାଯାଇଛି ଯେ ୨୦୧୯ ଜୁଲାଇ ୯ରେ ବର୍ଷା ଓ ଅନୁଭବ ଦିଲ୍ଲୀ ବାସଭବନରେ ଝିଆରୀର ଜନ୍ମଦିନ ପାଳନ କରୁଛନ୍ତି। ଏହି ସମାନ ପୋଷ୍ଟରେ ଆଉ ଏକ ଫଟୋ ପୋଷ୍ଟ କରାଯାଇ ଦାବି କରାଯାଇଛି ଯେ ୨୦୧୯ ଜୁଲାଇ ୨୮-୨୯ରେ ବର୍ଷାଙ୍କ ବଡ଼ ଭଉଣୀଙ୍କର ବିବାହ ବାର୍ଷିକୀରେ ଏକାଠି ଯୋଗଦେଇଛନ୍ତି ବର୍ଷା ଓ ଅନୁଭବ। କେବଳ ସେତିକି ନୁହେଁ ୨୦୧୯ ୭ ଅଗଷ୍ଟ ବର୍ଷାଙ୍କ ଜନ୍ମଦିନରେ ମଧ୍ୟ ଅନୁଭବ ବର୍ଷାଙ୍କ ସହ ଫଟୋ ଛାଡ଼ିଥିଲେ ବୋଲି ଏଥିରେ ଉଲ୍ଲେଖ ଅଛି।
ପୋଷ୍ଟରେ ଉଲ୍ଲେଖ ଅଛି-
ଅନୁଭବ ମହାନ୍ତି, ଯଦି ବର୍ଷା ପ୍ରିୟଦର୍ଶିନୀ ୨୦୧୯ ମେ’ରୁ ଆପଣଙ୍କ ସହ ନ ଥିଲେ ତାହେଲେ ବର୍ଷା ତାଙ୍କ ଝିଆରୀର ଜନ୍ମଦିନ ୨୦୧୯ ଜୁଲାଇ ୯ରେ ଆପଣଙ୍କ ସହିତ ଦିଲ୍ଲୀ ଘରେ କେମିତି ଏକାଠି ପାଳନ କରିଥିଲେ? ଭୁଲିଯାଇଛନ୍ତି କି ଏ କଥା ଆପଣଙ୍କର ଓକିଲ ଅଶ୍ବିନୀ ଦୁବେଙ୍କୁ ଜଣେଇବାକୁ? ବର୍ଷାଙ୍କ ବଡ଼ ଭଉଣୀଙ୍କର ବିବାହ ବାର୍ଷିକୀ ପାର୍ଟି ୨୦୧୯ ଜୁଲାଇ ୨୮-୨୯ରେ ଏକାଠି କେମିତି ସେଲିବ୍ରେଟ୍ କରିଥିଲେ? ୨୦ଜନ୍ମଦିନରେ ୧୯ ଅଗଷ୍ଟ ୭ରେ ବର୍ଷାଙ୍କ ଜନ୍ମଦିନରେ ଆପଣ ଦିଜଣଙ୍କ ଏକାଠି ଫଟୋ କେମିତି ଛାଡ଼ିଥିଲେ। ସବୁଠୁ ବଡ଼କଥା, ଅନୁଭବ ମହାନ୍ତି, ଆପଣଙ୍କ ଜନ୍ମଦିନ ୨୪ ଡିସେମ୍ବର ଦିନ ଆପଣଙ୍କ ନନ୍ଦିସାହି ଘରେ ଆପଣଙ୍କ ବନ୍ଧୁମାନଙ୍କ ଉପସ୍ଥିତିରେ ବର୍ଷା ସେଲିବ୍ରେଟ୍ କରିଥିଲେ କିପରି? ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, କୁଇନ୍ ଗୀତରେ ବର୍ଷାଙ୍କ ସହ ଆପଣଙ୍କ ନ୍ଦିସାହି ଘରେ ଦୁଇଜଣ ଏକାଠି ଥାଇ ଗୋଟେ ଭିଡିଓ ଜାନୁଆରୀ ୨୦୨୦ରେ ଆସିଥିଲା କେମିତି? ମିଛ କହିବାର ବି ଗୋଟେ ସୀମା ଅଛି। ଯେଉଁମାନେ ସତ ଜାଣିବାକୁ ଚାହାନ୍ତି ଅପେକ୍ଷା କରନ୍ତୁ ଓ ଦେଖନ୍ତୁ। ଈଶ୍ବର ବଡ଼, ସତ୍ୟର ହିଁ ବିଜୟ ହେବ।
ଆଜି ବିଳମ୍ବିତ ରାତିରେ ଏହି ପେଜ୍ରେ ଏକ ଭିଡିଓ ଛଡ଼ାଯାଇଛି ଯେଉଁଠି ବର୍ଷାଙ୍କ ଓକିଲ ଅନୁଭବଙ୍କ ଦାବିକୁ ମିଛ ବୋଲି କହୁଥିବାର ଦେଖାଯାଇଛି। ଏହି ପେଜ୍ରେ ପ୍ରାୟ ୧ ଲକ୍ଷ ଅନୁଗାମୀ ଥିବା ବେଳେ ବର୍ଷାଙ୍କ ନାମରେ ଅନ୍ୟ ଏକ ପେଜ୍ରେ ୬ ଲକ୍ଷ ଅନୁଗାମୀ ଅଛନ୍ତି।
Comments are closed.