Odisha Link
Bridging the Missing Links in Odisha

ମହିଳା ବିରୋଧୀ ସାଂସଦଙ୍କୁ ବିଜେଡିରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍‌ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିମ୍ବା ରୋଲ୍ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ ପ୍ରତିବାଦ କରିବା ଆମର ପ୍ରାଥମିକ ଦାୟୀତ୍ୱ। ବିଶେଷ ଭାବେ ଲୋକପ୍ରତିନିଧି କିମ୍ବା ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିବିଶେଷ ଏଭଳି ଘଟଣାରେ ସଂପୃକ୍ତ ରହିଲେ ଏହାର ଦୃଢ ବିରୋଧ କରାଯିବ। ଓଡିଶାର ଜଣାଶୁଣା ଓ ପ୍ରସିଦ୍ଧ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ପତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜଣେ ସାମ୍ବିଧାନିକ ପଦାଧିକାରୀ, ଲୋକପ୍ରତିନିଧି ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା କାରଣରୁ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ଘଟଣାରେ ହସ୍ତକ୍ଷେପ କରୁଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପଟ୍ଟନାୟକ କହିଛନ୍ତି।

ମହିଳାବିରୋଧୀ ଓ ଅତ୍ୟାଚାରୀମାନେ କେବେହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ପଦବୀରେ ରହିବା ଅନୁଚିତ୍। ଯଦି ଏଭଳି କାର୍ଯ୍ୟରେ ସଂପୃକ୍ତ ଥାଆନ୍ତି କିମ୍ବା ଅଭିଯୋଗ ଆସେ, ତାହେଲେ ସେ ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦେବା ଉଚିତ୍। ନହେଲେ ସମାଜକୁ ଏକ ଭୁଲ୍ ସମ୍ବାଦ ଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ, ସାଂସଦ ଶ୍ରୀ ଅନୁଭବ ମହାନ୍ତି ଘରୋଇ ଅତ୍ୟାଚାର ଓ ନିଜ ପତ୍ନୀଙ୍କୁ ଅତ୍ୟାଚାର ଦେବାରେ ଚରମ ସୀମା ଉଲ୍ଲଂଘନ କରିଛନ୍ତି ।

ପତ୍ନୀ ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ପତି ଶ୍ରୀ ଅନୁଭବ ମହାନ୍ତି ତାଙ୍କୁ ଯୈାତୁକ, ଶାରରୀକ, ମାନସିକ ଅତ୍ୟାଚାର କରିବା ସହ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଛନ୍ତି । ଏପରିକି ସେ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ମଧ୍ୟ କହିଛନ୍ତି । ସାଂସଦ ଭଳି ସାମ୍ବିଧାନିକ ପଦରେ ଥିବା ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କର ଏଭଳି କାର୍ଯ୍ୟକଳାପ ସମଗ୍ର ରାଜ୍ୟବାସିଙ୍କୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ଶ୍ରମତୀ ପଟ୍ଟନାୟକ କହିଛନ୍ତି ।

ରାଜ୍ୟର ମା ଓ ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟସରକାରଙ୍କୁ ମହିଳା ବିରୋଧୀ ବୋଲି ବାରମ୍ବାର ଅଭିଯୋଗ କରିବା ସତ୍ୱେ ପ୍ରଶାସନ ଓ ପୋଲିସକୁ ବ୍ୟବହାର କରି ଘଟଣାଗୁଡିକୁ ଚାପି ଦେଉଥିଲେ । ଏହି ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଶାସକ ବିଜେଡି ମୁଖିଆଙ୍କ ନିଜ ପରିବାର ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଓ ହିଂସା ଘଟଣା ଘଟିଚାଲିବା ରାଜ୍ୟରେ ମହିଳା ସୁରକ୍ଷାକୁ ଦର୍ଶାଉଛି । ନିଜ ଦଳର ସାଂସଦଙ୍କ ମହିଳା ହିଂସା ଘଟଣାଟି ବର୍ତମାନ ହାଟ ଓ ଦାଣ୍ଡରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଯେଉଁ ଭଳି ମନୁଷ୍ୟାକୃତ ବନ୍ୟାଜଳ ମାଡିଯାଇ କ୍ଷୟକ୍ଷତି ଘଟାଉଛି, ସେହିପରି ରାଜ୍ୟସରକାରଙ୍କ ଅପାରଗତା ଓ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ମହିଳା ଅତ୍ୟାଚାର ଓ ହିଂସାର ବନ୍ୟାଜଳ ବର୍ତମାନ ଶାସକ ବିଜେଡିର ଘର ଭିତରେ ପଶି ସାରିଛି । ତଥାପି ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କରି ‘ମାଁକୁ ସମ୍ମାନ’ର ନାରା ପ୍ରତି ଏକ ଖୋଲା ଉପହାସ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଘରୋଇ ଓ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ଏବଂ ପଦମର୍ଯ୍ୟାଦା ହରାଇଥିବା ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ । ନିଜ ଦଳର ଜଣେ ମହିଳାବିରୋଧୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ । ନଚେତ୍ ଏହା ବିରୋଧରେ ମହିଳାମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ‘ନିମ୍‌କି’ ସାଜି ଯେଉଁ ବର୍ଷା ପ୍ରିୟଦର୍ଶୀନି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନବୀନ ନିବାସକୁ ଯାଇ ଗୁହାରୀ କରିଥିଲେ, ସେହି ‘ନିମ୍‌କି’ ଆଜି ନିଜ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି।

Comments are closed.