Odisha Link
Bridging the Missing Links in Odisha

ବେପାର ସୁବିଧା: ଦେଶରେ ସବା ତଳେ ଓଡ଼ିଶା, ଉପରେ ଆନ୍ଧ୍ର

ଭୁବନେଶ୍ବର: ବ୍ୟବସାୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାରେ ପ୍ରଚାର ଓ ପ୍ରମାଣ ଭିତରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍, ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ତଥା ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରୋଡ୍‌ ଶୋ ମାଧ୍ୟମରେ ଓଡ଼ିଶା ବ୍ୟାପକ ସଫଳତା ପାଇଥିବା ପ୍ରଚାର ହେଉଥିଲେ ହେଁ ବାସ୍ତବ କ୍ଷେତ୍ରରେ ତାହା ଭୁଲ ପ୍ରମାଣିତ ହୋଇଛି। ନିକଟରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ (ବେପାର ସୁବିଧା) ରିପୋର୍ଟରେ ଦେଶରେ ସବୁଠୁ ଉପରେ ଆନ୍ଧ୍ରପ୍ରଦେଶ ଥିବା ବେଳେ ସବା ତଳେ ରହିଛି ଓଡ଼ିଶା।

୨୦୧୫ ମସିହାରେ ଦେଶରେ ସପ୍ତମ ସ୍ଥାନରେ ଥିବା ଓଡ଼ିଶା ଗତ ୫ ବର୍ଷ ଭିତରେ କ୍ରମାଗତ ଭାବେ ତଳକୁ ଖସିଚାଲିଛି। ୨୦୧୬ରେ ୧୧ ତମ ସ୍ଥାନରେ ଥିବା ଓଡ଼ିଶା ୨୦୧୭ରେ ୧୪ ସ୍ଥାନକୁ ଖସି ଆସିଥିଲା। ନିକଟରେ ପ୍ରକାଶିତ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ରିପୋର୍ଟ ବା ବିଜିନେସ୍‌ ରିଫର୍ମ ଆକ୍ସନ୍‌ ପ୍ଲାନ୍‌ ୨୦୧୯ରେ ଓଡ଼ିଶା ୨୯ ତମ ସ୍ଥାନରେ ରହି ସବା ତଳକୁ ଖସି ଆସିଛି।

ରିପୋର୍ଟରେ ଆନ୍ଧ୍ରପ୍ରଦେଶ ପଛକୁ ଉତ୍ତରପ୍ରଦେଶ ଦ୍ବିତୀୟ ସ୍ଥାନରେ ଓ ତେଲଙ୍ଗାନା ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାର ୯ମ ସ୍ଥାନରେ ପଡ଼ୋଶୀ ପଶ୍ଚିମବଙ୍ଗ ଥିବା ବେଳେ ତା ପଛକୁ ୧୦ମ ସ୍ଥାନକୁ ଖସିଆସିଛି ଗୁଜରାଟ। ଦ୍ବାଦଶ ସ୍ଥାନରେ ଦିଲ୍ଲୀ ଓ ତ୍ରୟୋଦଶ ସ୍ଥାନରେ ମହାରାଷ୍ଟ୍ର ଅଛନ୍ତି। କେରଳ ୨୮ ତମ ସ୍ଥାନରେ ଥିବା ବେଳେ ୨୯ତମ ସ୍ଥାନରେ ଓଡ଼ିଶା ସମେତ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଛନ୍ତି। ସବା ତଳେ ଥିବା ରାଜ୍ୟଗୁଡ଼ିକ ହେଲେ ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍‌ ଓ ତ୍ରିପୁରା।

ନୂତନ ଶିଳ୍ପ ପ୍ରତିଷ୍ଠା, ଅଧିକ ପୁଞ୍ଜିଲଗାଣ, ନୂଆ ଶିଳ୍ପସଂସ୍ଥାର ଆଗମନ ଓ ପୂର୍ବରୁ ପ୍ରତିଷ୍ଠିତ ଶିଳ୍ପସଂସ୍ଥାଗୁଡ଼ିକରେ ବ୍ୟବସାୟ ସଂପ୍ରସାରଣ ମାଧ୍ୟମରେ ୨୦୨୦ ବର୍ଷରେ ଓଡ଼ିଶାରେ ଇଜ୍‌ ଅଫ୍‌ ଡୁଇଂ ବିଜିନାସ୍‌ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

Comments are closed.