ଦିଲ୍ଲୀରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଓ ଲାଇବ୍ରେରୀ ପାଇଁ ଜମି ଦାବି କଲେ ସସ୍ମିତ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଓଡ଼ିଶା ସାଂସଦ ସସ୍ମିତ ପାତ୍ର ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଏବଂ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଜମି ଦେବାକୁ ଏକ ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ଦାବି କରିଛନ୍ତି। ଡ. ପାତ୍ର ତାଙ୍କ ଦାବିରେ ଓଡ଼ିଆ ସଂସ୍କୃତିର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ବାବଦରେ ଅବତାରଣା କରିଛନ୍ତି। ଓଡ଼ିଆ ଭାଷା ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଓଡ଼ିଶୀ ନୃତ୍ୟକୁ କିପରି ବିଶ୍ୱବ୍ୟାପୀ ଭଲପାଇବା ମିଳିଥାଏ ତାହା ସେ ଉଲ୍ଲେଖ କରିଛନ୍ତି।
ଓଡ଼ିଆ ଖାଦ୍ୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଥାଏ। ଏପରି ସ୍ଥିତିରେ ଯଦି ରାଜଧାନୀରେ ଏକ ସ୍ୱତନ୍ତ୍ର ସ୍ଥାନରେ ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶନ କରାଯିବ ତେବେ ଏହା ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ବୋଲି ସେ କହିଛନ୍ତି।
ଓଡ଼ିଶା କଲଚରାଲ ସେଣ୍ଟର ଆଣ୍ଡ ଲାଇବ୍ରେରୀ ପ୍ରତିଷ୍ଠା କରିବାକୁ ଦିଲ୍ଲୀରେ ଏକ ଜମି ଦେବାକୁ ୨୦୧୯ ଡିସେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଇତି ମଧ୍ୟରେ ୯ ମାସ ବିତି ଯାଇଥିଲେ ବି କେନ୍ଦ୍ର ସରକାର ପଦକ୍ଷେପ ନେଇନାହାନ୍ତି। ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଜମି ଦେବାକୁ ଡ. ପାତ୍ର ଅନୁରୋଧ କରିଛନ୍ତି।
Comments are closed.