Odisha Link
Bridging the Missing Links in Odisha

ଆଜି ପବିତ୍ର ବିଶ୍ବକର୍ମା ପୂଜା

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ  ଜନ୍ମ ଗ୍ରହଣ କରିଛନ୍ତି।ବିଶ୍ୱକର୍ମା ସକଳ ଶିଳ୍ପକଳାରଙ୍କ ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ ।

ଏହାଙ୍କଦ୍ୱାରା ଦେବତାମାନଙ୍କର ସମସ୍ତ ଶସ୍ତ୍ର ,ବିମାନ ଆଦି ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ବିଶ୍ୱକର୍ମା ପୂଜା ବିଶ୍ୱକର୍ମା ଜୟନ୍ତୀ ନାମରେ ମଧ୍ୟ ଜଣାଶୁଣା । ଏହି ଦିନରେ ସମସ୍ତ କାରିଗର, ଇଞ୍ଜିନିୟର୍, ୱେଲଡର୍, ମେକାନିକ୍ ଏବଂ ଅନ୍ୟମାନେ ମଧ୍ୟ ତାଙ୍କୁ ପୂଜା କରନ୍ତି ।

ଆହୁରି ମଧ୍ୟ, ଦୋକାନ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନର ମାଲିକମାନେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ପୂଜା ଆୟୋଜନ କରି ଥାଆନ୍ତି । ଭଗବାନ ବିଶ୍ୱକର୍ମା ଏବଂ ତାଙ୍କର ବାହାନ ହାତୀକୁ ପୂଜା କରାଯାଏ।

ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି ।

ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି ।

ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।

ସାଧାରଣତଃ ବିଶ୍ବକର୍ମା ପୂଜା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ପାଳନ କରାଯାଏ ।ଏହି ପୂଜାକୁ ଉତ୍ତରପ୍ରଦେଶ, ଆସାମ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାର, ଓଡିଶା, ତ୍ରିପୁରା ଏବଂଝାଡଖଣ୍ଡରେ ବହୁଳ ଭାବରେ ପାଳନ କରାଯାଏ |

 

 

 

Comments are closed.