ନିଆରା ନାଇଟ୍ କ୍ଲବ୍: ସଂସ୍କୃତ ଗୀତର ତାଳେ ତାଳେ ଝୁମନ୍ତି ଲୋକେ

ନୂଆଦିଲ୍ଲୀ: ଭାତରରେ ଥିବା ନାଇଟ୍ କ୍ଲବରେ ସାଧାରଣତଃ ହିନ୍ଦୀ, ପଞ୍ଜାବୀ, ଇଂରାଜୀ କିମ୍ବା ସ୍ଥାନୀୟ ଅଞ୍ଚଳର ଟ୍ରେଣ୍ଡିଙ୍ଗ୍ ଗୀତ ବାଜିଥାଏ। ଯେଉଁଥିରେ ଲୋକମାନେ ମନଭରି ନାଚିବାର ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ ଆପଣ କେବେ ଏଭଳି ନାଇଟ୍ କ୍ଲବ୍ ବିଷୟରେ ଶୁଣିଛନ୍ତି କି, ଯେଉଁଠି ସଂସ୍କୃତ ଗୀତରେ ମନଭରି ନାଚିଥାନ୍ତି ଲୋକମାନେ। ଏହିକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ହେଲେ କଥାଟି ସତ। ବିଶ୍ବରେ ଏକ ଏଭଳି ଦେଶ ଅଛି ଯେଉଁଠି ଇଂରାଜୀ, ହିନ୍ଦୀ ନୁହେଁ ବରଂ ସଂସ୍କୃତ ଗୀତର ମଜା ନେଇ ନାଚିଥାନ୍ତି ଲୋକେ।
ଏଭଳି ନିଆରା ନାଇଟ୍ କ୍ଲବ୍ ଥିବା ଦେଶର ନାମ ହେଉଛି ଆର୍ଜେଣ୍ଟିନା। ଯାହାର ରାଜଧାନୀ ବ୍ୟୁନସ୍ ଆଇରସ୍ରେ ଗ୍ରୋବ ନାମକ ଏକ ନାଇଟ୍ କ୍ଲବ୍ ଅଛି। ଯେଉଁଠି ଗଣେଶ ଶରଣମ୍, ଗୋବିନ୍ଦା-ଗୋବିନ୍ଦା, ଜୟକୃଷ୍ଣ ହରେ ଭଳି ସଂସ୍କୃତ ଗୀତର ତାଳେ ତାଳେ ଲୋକମାନେ ନାଚିଥାନ୍ତି।
ସବୁ ଦିଗରୁ ଦେଖିବାକୁ ଗଲେ ଏହି ନାଇଟ୍ କ୍ଲବ୍ ବେଶ ନିଆରା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ୟୁନସ୍ ଆଇରସ୍ରେ ଥିବା ଏହି ନାଇଟ କ୍ଲବ୍ ଛୋଟ ମୋଟ ନାଇଟ୍ କ୍ଲବ୍ ନୁହେଁ। କାରଣ ଏହି ନାଇଟ କ୍ଲବରେ ଏକାଥରରେ ପାଖାପାଖୀ ୮୦୦ ଲୋକ ଗୀତର ତାଳେ ତାଳେ ନାଚି ଥାଆନ୍ତି। ଏଥିସହିତ କେବଳ ହିନ୍ଦୁ ଦେବା ଦେବୀଙ୍କ ସଂସ୍କୃତ ମନ୍ତ୍ର ଗୁଡ଼ିକ ପ୍ଲେ କରାଯାଇ ଥାଏ। ଦିର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଏହି ନାଇଟ୍ କ୍ଲବରେ ସଂସ୍କୃତ ସଙ୍ଗୀତ ପରିବେଶଣ ହୋଇଥାଏ।
ଉଲ୍ଲେଖଯୋଗ୍ୟ, ଜଣେ ଭାରତୀୟ କୂଟନୀତିଜ୍ଞ ବିଶ୍ବନାଥନ୍ ୨୦୧୨ ମସିହାରେ ଆର୍ଜେଣ୍ଟିନା ଗସ୍ତରେ ଯାଇଥିଲେ। ସେ ତାଙ୍କ ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ ଯେ ସେହି ନାଇଟ୍ କ୍ଲବରେ ମଦ କିମ୍ବା ଲୋକମାନେ ଧୂମପାନ କରୁଥିବାର ଦେଖାଯାଏ ନାହିଁ।
ଏହି ନାଇଟ୍ କ୍ଲବର ସବୁଠୁ ବଡ଼ କଥା ହେଲା ମାଂସ ଏବଂ ମାଛ ଖାଦ୍ୟ ମିଳିନଥାଏ। ଏଠାରେ କେବଳ ମୃଦୁ ପାନୀୟ, ଫଳ ରସ ଏବଂ ଶାକାହାରୀ ଖାଦ୍ୟ ଉପଲବ୍ଧ। ଏହି ନାଇଟ୍ କ୍ଲବରେ ଗୀତ ଚଲାଉଥିବା ଅପରେଟର କହିଛନ୍ତି ଯେ ମନ୍ତ୍ର, ଯୋଗ, ଧ୍ୟାନ, ସଙ୍ଗୀତ ଏବଂ ନୃତ୍ୟ ମାଧ୍ୟମରେ ଆତ୍ମା ସହିତ ଶରୀରର ସଂଯୋଗ ସ୍ଥାପିତ ହୁଏ।
Comments are closed.