ଏହି କାରଣରୁ ରିୟାଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚାଇଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଏବଂ ଭାଇ ଶୋଭିକ୍ ଗତକାଲି ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଏବଂ ଆଜି ସେମାନଙ୍କ ଆବେଦନ ଶୁଣାଣି ହେବାର ଥିଲା ମାତ୍ର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣିକୁ ଘଞ୍ଚାଇଛନ୍ତି। ରିୟାଙ୍କ ଓକିଲ କହିଛନ୍ତି ଯେ, ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବମ୍ବେ ହାଇକୋର୍ଟ ପାଇଁ ପ୍ରଧାନ ବିଚାରପତି ଆଜି ଛୁଟି ଘୋଷଣା କରିଛନ୍ତି ଏବଂ ଆସନ୍ତାକାଲି ଅର୍ଥାତ୍ ୨୪ ସେପ୍ଟେମ୍ବରରେ ମ୍ବେ ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ହେବ।
ସୂଚନାଯୋଗ୍ୟ, ଡ୍ରଗ୍ସ କାରବାରରେ ରିଆଙ୍କ ସଂପୃକ୍ତି ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ଏହି ମିଆଦ ଶେଷ ହେବା ପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ବିଚାର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଛି।
ଅନ୍ୟପଟେ, ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନାଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ଅନୁସନ୍ଧାନରେ ତାଙ୍କ ନାମ ଆସିବା ପରେ ଏନ୍ସିବି ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର – ଜୟା ସାହାଙ୍କ ପଚରାଉଚରା ପରେ ମଧୁ ମଣ୍ଟେନାଙ୍କ ନାମ କ୍ରପ୍ ହୋଇଥିଲା। ଜୟା ଟ୍ୟାଲେଣ୍ଟ ଏଜେନ୍ସିର ମ୍ୟାନେଜର।
ଏନସିବିର ପଚରା ଉଚରା ବେଳେ ଉଭୟ ରିଆ ଓ ସୌଭିକ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିବା ସ୍ୱୀକାର କରିଛନ୍ତି। ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିଆ ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି। ଏଥିସହ ରିୟାଙ୍କୁ ଏନ୍ସିବି ଜେରା କରୁଥିବା ସମୟରେ ୨୫ ଜଣ ଲୋକ୍ରପ୍ରିୟ କଳାକାରଙ୍କ ନାଁ କହିଥିଲେ। ରିଆଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ଏନ୍ସିବି। ତେଣୁ ରିଆଙ୍କ ଜାମିନକୁ ବମ୍ବେ ହାଇକୋର୍ଟରେ ବିରୋଧ କରିପାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ।
Comments are closed.