ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ପାଣ୍ଡିଆନ୍
ପୁରୀ : ପୁରୀକୁ ଆସୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ରାସ୍ତାକଡ଼ରେ ପଡ଼ିଥିବା ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ଥିଲେ। ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ପାଣ୍ଡିଆନ୍ । ଆହାତ ଜଣକ ହେଲେ ଅନ୍ନପୂର୍ଣ୍ଣା ସାହୁ ।
ଅନ୍ନପୂର୍ଣ୍ଣା ହଳଦିଆ ସ୍ଥିତ ଏକ ଟିଭିଏସ୍ ସୋ-ରୁମ୍ରେ କାର୍ଯ୍ୟ କରନ୍ତି । ସେ ନିଜ ଗାଡ଼ିରେ ଯାଉଥିବା ସମୟରେ ମାଳତୀପାଟପୁର ବସ୍ଷ୍ଟାଣ୍ଡ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଗାଡିଟି ରାସ୍ତା କଡ଼ରେ ଛିଟିକି ପଡ଼ିଥିଲା ଓ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ ।
ସେହି ସମୟରେ ପାଣ୍ଡିଆନ୍ ନିଜ କାର୍ରେ ପୁରୀ ଯାଉଥିଲେ। ସେ ଦୁର୍ଘଟଣାଗ୍ରସ୍ତ ଯୁବତୀ ଜଣଙ୍କୁ ଦେଖି ହଠାତ ନିଜ ଗାଡ଼ିକୁ ସେଠାରେ ଅଟକାଇ ଥିଲେ । ଯୁବତୀ ଜଣଙ୍କୁ କ’ଣ ହୋଇଛି ବୋଲି ପଚାରିବା ସହିତ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ।
କୁମ୍ଭାରପଡ଼ା ଥାନା ଆଇଆଇସି ଏହି ସୂଚନା ପାଇବା ପରେ ଡାକ୍ତରଖାନାରେ ତୁରନ୍ତ ପହଞ୍ଚି ଥିଲେ। ପାଣ୍ଡିଆନ ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ କହି ଚାଲିଯାଇଥିଲେ। ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।
Comments are closed.