ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୩ ନାମଲେଖା ପ୍ରକ୍ରିୟା
ଭୁବନେଶ୍ବର: ଗତକାଲି ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବାରେ ଆଜିଠାରୁ ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨,୪୯, ୭୯୦ ସିଟ୍ ପାଇଁ ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧, ୫୮, ୫୪୦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। କଳା ବିଭାଗରେ ସର୍ବାଧିକ ୯୫୬୪୯ ଜଣ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ସେଲ୍ଫ ଫାଇନାନ୍ସିଂରେ ୧୦୮୧, ବାଣିଜ୍ୟରେ ୧୬୬୮୨, ସଂସ୍କୃତରେ ୩୮୧୮, ଫିଜିକାଲ ସାଇନ୍ସରେ ୨୩୮୧୭, ବାୟୋଲୋଜିକାଲ ସାଇନ୍ସରେ ୧୭୪୯୩ ଜଣ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ୭୦୭୯୪ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ଅନୁଯାୟୀ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅକ୍ଟୋବର ପହିଲା ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ନାମଲେଖା ସହ ଫି’ ଦାଖଲ କରିପାରିବେ। ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ନାମଲେଖା ହେବ।
ସେପଟେ କରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ କେତେକ ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ଓରିଜିନାଲ ସାର୍ଟିଫିକେଟ୍, ମାର୍କସିଟ୍, ମାଇଗ୍ରେସନ ସାର୍ଟିଫିକେଟ୍ ଆଦି ମିଳିପାରି ନାହିଁ। ତେଣୁ ନାମଲେଖା ସମୟରେ ଯେଉଁ ଛାତ୍ରଛାତ୍ରୀ ଉକ୍ତ ସାର୍ଟିଫିକେଟ୍ ଦେଖାଇପାରିବେ ନାହିଁ ସେମାନଙ୍କ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୋହଳ କରାଯାଇଛି। ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ କୋର୍ସରେ ଛାତ୍ରଛାତ୍ରୀଙ୍କ ଡାଉନ୍ଲୋଡ୍ ମାକ୍ସିଟ୍ ସହ ସେଲ୍ଫ ଆଟେଷ୍ଟେସନକୁ ଗ୍ରହଣ କରାଯିବ। ଯାଞ୍ଚ ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଓରିଜିନାଲ ସାର୍ଟିଫିକେଟ୍ ଦେଖାଇବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ ।
Comments are closed.