ଆଉ ୫ ବିଧାୟକଙ୍କୁ କରୋନା !

ଭୁବନେଶ୍ବର: ଆଜି ବିଧାନସଭାର ମୌସୁମି ଅଧିବେଶ ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୨ ଶହ କୋଭିଡ୍ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କୁ ମିଶାଇ ସମୁଦାୟ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଲଗାତାର ଦୁଇଦିନ ଧରି ପରୀକ୍ଷା ହୋଇଥିବା ମୋଟ ୯୫୦ରୁ ଅଧିକ ନମୁନା ମଧ୍ୟରୁ ମନ୍ତ୍ରୀ, ବିଧାୟକ, ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ୧୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଉ ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବିଧାୟକ ଜୟନ୍ତ ଷଡଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର , ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ପ୍ରକାଶ ଯେ, ଏହି ଅଧିବେଶନ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଦୈନିକ ସାଢ଼େ ୪ଘଣ୍ଟା ଅଧିବେଶନ ବସିବ। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। ଏହି ୮ଦିନିଆ ଅଧିବେଶନରେ କେବଳ ଅକ୍ଟୋବର ୬ତାରିଖଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଆବଣ୍ଟନ କରାଯାଇଥିବାବେଳେ ଅନ୍ୟ ସମସ୍ତ ୭ଦିନ ଅଫିସିଆଲ ବିଜିନେସ୍ ରହିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ ନାହିଁ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି।
Comments are closed.