Odisha Link
Bridging the Missing Links in Odisha

ସୀମାରେ ଯୁଦ୍ଧ ସ୍ଥିତି ନାହିଁ କି ଶାନ୍ତି ବି ନାହିଁ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଲଦାଖସ୍ଥିତ ଏଲଏସିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସମ୍ପର୍କରେ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ଏଲଏସିରେ ସ୍ଥିତି ଅସ୍ଥିର ଅଛି। ସେଠାରେ ଯୁଦ୍ଧ ଭଳି ପରିସ୍ଥିତି ନାହିଁ, ହେଲେ ଶାନ୍ତି ବି ନାହିଁ”। ସେ ଆହୁରି କହିଛନ୍ତି ଭାରତୀୟ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଯଦି ଯୁଦ୍ଧ ହୁଏ ତେବେ ଭାରତୀୟ ବାୟୁସେନା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ।

ସେ ରାଫେଲେକୁ ବାୟୁସେନାରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଫ୍ରାନ୍ସ ନିର୍ମିତ ରାଫେଲ, ଆମେରିକା ନିର୍ମିତ ଚିନୁକ ଓ ଆପାଚେ ଆମର ଶକ୍ତି ବୃଦ୍ଧି କରିଛି। ଏଗୁଡ଼ିକ ଭାରତୀୟ ବାୟୁସେନାକୁ ଏକ ଦୃଢ ରଣନୀତିକ ସାମର୍ଥ୍ୟ ଦେଇଛି।

ସୂଚନାଯୋଗ୍ୟ, ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ। ସେହିପରି ଗତ ଅଗଷ୍ଟ ୨୯-୩୦ ରାତିରେ ଭାରତୀୟ ଯବାନ ମାନେ ପେଙ୍ଗୟାଂ ହ୍ରଦ ନିକଟରେ ଥିବା ବ୍ଲାକ ଟପକୁ ଅଧିକାର କରିନେଇଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି। ଅନେକ ଥର ସୈନ୍ୟପ୍ରତ୍ୟାହାର ପାଇଁ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ।

Comments are closed.