Odisha Link
Bridging the Missing Links in Odisha

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ହେଉଛି ‘କଳା ବିଲ୍’: ତାରା

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନେଇ ଗୃହରେ ସରଗରମ ଆଲୋଚନା ଚାଲିଛି। ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି। ଏଥି ସହ ତାରା ଗୃହରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ଚିରିଦେଇଛନ୍ତି।

ବିଲ୍‌କୁ ବିରୋଧ କରିବା ସହ ବିଲ୍କୁ ସିଲେକ୍ସନ କମିଟିକୁ ପଠାଇବାକୁ ତାରା ବାହିନୀପତି ଦାବି କରିଛନ୍ତି। କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି ଯେ, କରୋନା ଭାରଇସ ମହାମାରୀ ସମୟରେ ଅତି ତରବରିଆ ଭାବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାସ କରିବାକୁ ସରକାର ଚାହୁଁଛନ୍ତି। କରୋନା ସହିତ ଏହାର କି ସଂପର୍କ ରହିଛି? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି।

ଅନ୍ୟପଟେ ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ବିରୋଧ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଲ୍‌କୁ ବିରୋଧ କରିବା ସହ ବିଲ୍‌ ଯୋଗୁଁ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ନଷ୍ଟ ହେବ ଏବଂ ବିଶ୍ବବିଦ୍ୟାଳୟକୁ ସରକାର ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବାବଦରେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଦ୍ବାରା ବିଶ୍ୱବିଦ୍ୟାଳୟର ସ୍ୱଂୟ ଶାସନ ସାମାନ୍ୟତମ ମଧ୍ୟ ପ୍ରଭାବିତ ହେବ ନାହିଁ। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ୟୁନିଭରସିଟି ଆକ୍ଟ ଆଧାରରେ ପରିଚାଳିତ ହେବ। ଏହି ବିଲ୍ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଅଭିବୃଦ୍ଧିରେ ସହାୟକ ହେବା ସହ ଯୁଗାନ୍ତକାରୀ ହେବ। ସେହିଭଳି ଶିକ୍ଷା କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବା ଯାଇ ଶ୍ରୀ ସାହୁ କହିଥିଲେ ଯେ, ତିନି ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି।

Comments are closed.