ଜାତୀୟ ବାଉଁଶ ମିଶନରେ ଓଡ଼ିଶାକୁ ତିନି ବର୍ଷରେ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର
ଭୁବନେଶ୍ୱର: ଜାତୀୟ ବାଉଁଶ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଅମାପ ଜଙ୍ଗଲ ସମ୍ପଦରେ ଭରପୂର ଓଡ଼ିଶାରେ ପ୍ରାକୃତିକ ଜଙ୍ଗଲ ସମ୍ପଦର ଏକ ତୃତୀୟାଂଶ ବାଉଁଶ ରହିଛି। ବାଉଁଶ ଚାଷ ରାଜ୍ୟର ଲୋକମାନଙ୍କ ପାଇଁ ବିଶେଷ କରି ଜନଜାତି ଏବଂ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଅର୍ଥନୀତି ଏବଂ ଜୀବିକା ସହ ପରିବେଶର ସୁରକ୍ଷାକୁ ସୁନିଶ୍ଚିତ କରିଛି। ବଜେଟରେ କୃଷି ଯୋଜନାରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ବ୍ୟବସ୍ଥା ରହିଛି। ଜାତୀୟ ବାଉଁଶ ମିଶନ ଅଧୀନରେ ଥିବା ଅର୍ଥ ବାଉଁଶ ଚାଷ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି କ୍ଷୁଦ୍ର, ମଧ୍ୟମ, ମହିଳା ଏବଂ ଜନଜାତି ଚାଷୀଙ୍କ ଆୟକୁ ବୃଦ୍ଧି କରିବ।
ଜାତୀୟ ବାଉଁଶ ମିଶନ ବଜାରର ଆବଶ୍ୟକତା ଅନୁଯାୟୀ ବାଉଁଶ କାରିଗରୀ ମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି। ଏହି ମିଶନ କୃଷକଙ୍କ ଆୟକୁ ବୃଦ୍ଧି କରିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାରେ ବିଶେଷ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟ୍ୱିଟ୍ କରିଛନ୍ତି।
Comments are closed.