୫ ଯାଏଁ ପ୍ରବଳ ବର୍ଷିବ, ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିିଂ
ଭୁବନେଶ୍ବର: ୫ ଦିନ ଧରି ବର୍ଷାରେ ଭିଜିବ ସାରା ଓଡ଼ିଶା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ବର୍ଷାର ପ୍ରକୋପ ଦେଖାଦେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ। ଜଳବନ୍ଦୀ ସମସ୍ୟା, ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା ସ୍ଥିତି ସମ୍ପର୍କରେ ନିୟମିତ ଭାବେ ଏସ୍ଆରସିଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି।
ପ୍ରବଳ ବର୍ଷା ନେଇ ଟୁଇନ ସିଟିକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି। ଟୁଇନ ସିଟିରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅକଳନ କରିଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ଏଥିସହ ଟ୍ରାଫିକ୍ ଜାମ୍ ହୋଇପାରେ। ରାସ୍ତାରେ ଗଲା ବେଳେ ମ୍ୟାନ୍ ହୋଲ୍କୁ ନଜରରେ ରଖି ଯିବାକୁ ପରାମର୍ଶ ଦିଆଯାଇଛି।
ଲଘୁଚାପ ପ୍ରଭାବରେ ଅକ୍ଟୋବର ପହିଲାରେ ଗଞ୍ଜାମ, ପୁରୀ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଲଗାଣ ବର୍ଷା ଦ୍ୱାରା ଜଳବନ୍ଦୀ ହେବା ସହ ଚାଳ ଘର ଭାଙ୍ଗିପାରେ। ରାସ୍ତା ନଷ୍ଟ ହୋଇ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ରହିଛି। ଏଥିସହ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, କଳାହାଣ୍ଡି ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ଜିଲ୍ଲାଗୁଡିକରେ ଘଡଘଡ଼ି ସହ ବଜ୍ରପାତ ହୋଇପାରେ।
ଅକ୍ଟୋବର ୨ ତାରିଖରେ ଉପକୂଳ ଓଡ଼ିଶାର ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଜଳବନ୍ଦୀ, ଘର ଭାଙ୍ଗିବା, ରାସ୍ତା ନଷ୍ଟ ହେବା ପରି ସମସ୍ୟା ହେବ। ଏହାବ୍ୟତୀତ ଅନୁଗୁଳ, ଗଞ୍ଜାମ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ଉଭୟ ପାଣିପାଗ ବିଭାଗ ଓ ଏସ୍ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
୩ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିବାକୁ ଥିବାବେଳେ ୪ ଓ ୫ ତାରିଖରେ ପୁଣି ବର୍ଷା ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ। କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ସମୁଦାୟ ବର୍ଷା ପରିମାଣ ୨୦୦ ମିମି ହେବାର ସମ୍ଭାବନା ରହିଛି।
Comments are closed.