ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ପରେ ବିଶ୍ୱ ଷ୍ଟକ୍ ବଜାରରେ ମାନ୍ଦା

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ବାହାରିବା କେବଳ ଆମେରିକା ନୁୁହେଁ; ବରଂ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଆଜି ଟ୍ରମ୍ପ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ସମଗ୍ର ଆମେରିକୀୟ, ୟୁରୋପୀୟ ଓ ଏସିଆର ଷ୍ଟକ ବଜାରଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି। ଆମେରିକାର ଡାଓ ଜୋନ୍ସ ଓ ଏସଏଣ୍ଡପି ୫୦୦ ହ୍ରାସ ପାଇଛି। ସେହିପରି ଲଣ୍ଡନର ଏଫଟିଏସଇ-୧୦୦ ସମେତ ଅଧିକାଂଶ ୟୁରୋପୀୟ ଷ୍ଟକ ବଜାର ହ୍ରାସ ପାଇଛି। କିନ୍ତୁ ଆଜି ଭାରତରେ ଗାନ୍ଧୀ ଜୟନ୍ତୀ ଯୋଗୁଁ ଷ୍ଟକ ବଜାର ବନ୍ଦ ରହିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଯୋଗୁଁ ଆମେରିକୀୟ ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ ପଜିଟିଭ ବାହାରିବା ଅର୍ଥନୀତିକୁ ଆହୁରି ଅନିଶ୍ଚିତତା ମଧ୍ୟକୁ ଠେଲି ଦେବ। ବିଶ୍ୱର ୧ନମ୍ବର ଅର୍ଥନୀତି ପ୍ରଭାବିତ ହେଲେ ସମଗ୍ର ପୃଥିବୀର ଅର୍ଥନୀତି ପ୍ରଭାବିତ ହେବ। ଅର୍ଥନୀତିକୁ ସଜାଡ଼ିବାକୁ ଟ୍ରମ୍ପ କେତେକ ପଦକ୍ଷେପ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଅନୁପସ୍ଥିତିରେ ଓ ନିର୍ବାଚନରେ ଜୋ ବାଇଡେନଙ୍କ ସ୍ଥିତି ଭଲ ଥିବାରୁ ଏସବୁ ପଦକ୍ଷେପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।
Comments are closed.