Odisha Link
Bridging the Missing Links in Odisha

ଗୋଟିଏ ପଦବୀ ପାଇଁ ଦୁଇ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା

ଢେଙ୍କାନାଳ: ଗୋଟିଏ ସରକାରୀ ପଦବୀ ପାଇଁ ନିୟୋଜିତ ହୋଇଛନ୍ତି ଦୁଇ ଜଣ ଅଧିକାରୀ। ଖାଲି ଏତିକି ନୁହେଁ ସେ ପଦବୀରେ ରହି କିଏ କାହା କଥା ମାନିବ ସେ ନେଇ ଟଣାଓଟରା ମଧ୍ୟ ଚାଲିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ। ସେଠାରେ ଏବେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଗତ ୨୨ ତାରିଖରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ଡେଭଲପମେଣ୍ଟକୁ ଇନ୍‌ଷ୍ଟ୍ରକ୍ଟର ଭାବେ ବଦଳି ହୋଇଥିଲା। ଏହାପରେ ସେ ଛୁଟିରେ ରହିବା ସହ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଦେବଗଡ଼ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟଙ୍କୁ ୨୨ ତାରିଖରେ ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ ବଦଳି କରାଯାଇଥିଲା। ସେ ୨୫ ତାରିଖରେ ଢେଙ୍କାନାଳରେ ପହଞ୍ଚି ଜିଲାପାଳଙ୍କୁ ଜଏନିଂ ଅର୍ଡର ଦେବା ପରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବସିଥିଲେ। ସେହିଦିନ ଜୟନ୍ତୀ ଛୁଟିରୁ ଫେରିବା ସହ ଟ୍ରିବୁନାଲ ଅଦାଲତରୁ ବଦଳି ଉପରେ ରହିତାଦେଶ ଆଣି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହପରେ ଦୁଇଜଣଙ୍କ ମଧ୍ୟରେ ଚୌକି ପାଇଁ ଆରମ୍ଭ ହୋଇଥିଲା ଟଣାଓଟରା। ଏପରି କି ମଙ୍ଗଳବାର ରାଜ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚାଲିଥିବା ଭିଡିଓ କନ୍‌ଫରେନ୍ସ ବେଳେ ଉଭୟେ ବସିବା ଚର୍ଚ୍ଚାର ବିଷୟ ହୋଇଥିଲା।

ଅନ୍ୟପଟେ ଉଭୟ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟରେ ବିଭାଗୀୟ କର୍ମଚାରୀଙ୍କୁ ଡାକୁଛନ୍ତି। ହେଲେ କର୍ମଚାରୀମାନେ କାହା ନିର୍ଦ୍ଦେଶ ପାଳନ କରିବେ ତାହାକୁ ନେଇ ଅଡୁଆରେ ପଡ଼ିଛନ୍ତି। ଏ ସମ୍ପର୍କରେ ଅଧିକାରୀ ଜ୍ୟୋତ୍ସ୍ନା ରାୟ କହିଛନ୍ତି ଯେ, ବଦଳି ଅର୍ଡର ପାଇବା ପରେ ସେ ୨୫ ତାରିଖରେ ଜିଲାପାଳଙ୍କୁ ଦେଖା କରିବା ସହ ଜଏନ କରିଛନ୍ତି। ତାଙ୍କୁ ଚାର୍ଜ ଦିଆଯାଇନାହିଁ। ତାଙ୍କୁ ଚାର୍ଜ ଦିଆଯିବ ବୋଲି ସେ ଆଶାବାଦୀ ଅଛନ୍ତି। ଠିକ୍‌ ସେହିପରି ଜୟନ୍ତୀ ବେହେରା କହିଛନ୍ତି ଯେ, ବଦଳି ଉପରେ ସେ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି।

ପ୍ରକାଶ ଯେ, ଜୟନ୍ତୀ ୨୦୧୯ ସେପ୍ଟେମ୍ବର ୧୬ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଘଟଣା ସମ୍ପର୍କରେ ସେ କିଛି କହିପାରିବେ ନାହିଁ। ସରକାର ଯାହା ନିଷ୍ପତ୍ତି ନେବେ ତଦନୁଯାୟୀ କାର୍ଯ୍ୟ କରାଯିବ।

Comments are closed.