Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ଆଂଶିକ ସତ କହୁଛନ୍ତି: ପ୍ରତାପ ଦେବ

ଭୁବନେଶ୍ୱର: ନୂଆ କୃଷି ଆଇନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଂଶିକ ସତ କହୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରଖିବା ପରେ ବିଧାୟକ ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କୃଷି ଆଇନରେ ଏମଏସପି ପ୍ରତିଶ୍ରୁତି ଥିଲେ କାହା ମନରେ ସନେ୍ଦହ ରହିନଥାନ୍ତା। ହେଲେ ଆଇନରେ ଏମଏସପି ନେଇ କିଛି ବ୍ୟବସ୍ଥା ନାହିଁ। ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି। ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡ଼ ବଡ଼ କର୍ପୋରେଟ ମଧ୍ୟସ୍ଥି ଆସିବେ। କଣ୍ଟ୍ରାକ୍ଟ ଫାର୍ମିଂରେ ବଡ଼ ବଡ଼ କର୍ପୋରେଟ ସଂସ୍ଥା ଲାଭବାନ ହେବେ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଆଜି ଏକ ପ୍ରସମିଟ୍‌ କରିଛନ୍ତି। ଏହି ପ୍ରେସମିଟ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ। ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ। ୭୦ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ। ଏପିଓ ଲାଗୁ ହେବ। ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ। ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମଏସପି ବନ୍ଦ ହେବ ନାହିଁ। କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି। ମାତ୍ର ୧୬ଟି ସାମଗ୍ରୀ ଉପରେ ଏମଏସପି ବ୍ୟବସ୍ଥା ରହିଛି। ଯେଉଁ ସାମଗ୍ରୀ ପାଇଁ ଏମଏସପି ନାହିଁ ସେସବୁ ପାଇଁ ବଜାର ଦରକାର। ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି।

Comments are closed.