ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
![](https://www.odishalink.com/wp-content/uploads/2020/10/d-n-1.jpg)
ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ। ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ପ୍ରଦୀପଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ମହାରଥୀ ବିଜେଡିର ଜଣେ ଟାଣୁଆ ନେତା ଥିଲେ। ବିଜୁ ବାବୁଙ୍କ ଦୀର୍ଘ ଦିନର ସହଯୋଗୀ ଥିଲେ ପ୍ରଦୀପ। ସେ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଥିଲେ। ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତି ଯେ, ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶ୍ରୀଯୁକ୍ତ ମହାରଥୀ ଜଣେ ଖୁସ୍ ମିଜାସ୍ ତଥା କୌଣସି ବି ପ୍ରସଙ୍ଗରେ ରୋକଠୋକ୍ ଭାବରେ ନିଜର ମତ ରଖିବା ସହ ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ। ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ। ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତି ୨ଟା ୩୬ରେ ତାଙ୍କର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ଆଖୁ ବୁଜିଲେ ମହାରଥୀ। ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ପିପିଲିରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ। ତାଙ୍କ ବିୟୋଗରେ ସମଗ୍ର ମହଲରେ ଶୋକର ଛାୟା ଖେଳି ଯାଇଛି।
Comments are closed.