ଲୁଇ ଗ୍ଲକ୍ଙ୍କୁ ସାହିତ୍ୟରେ ନୋବେଲ

୨୦୨୦ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ସ୍ବେଡିସ୍ ଏକାଡେମୀ ଦ୍ବାରା ପ୍ରଦତ୍ତ ସାହିତ୍ୟ କ୍ଷେତ୍ରରେ ବିଶ୍ବର ଏହି ସର୍ବୋଚ୍ଚ ସମ୍ମାନ ଏଥର ପ୍ରସିଦ୍ଧ ଆମେରିକୀୟ କବି ଓ ପ୍ରାବନ୍ଧିକ ଲୁଇ ଏଲିଜାବେଥ୍ ଗ୍ଲକ୍ ପାଇବେ।
ଏପ୍ରିଲ ୨୨, ୧୯୪୩ରେ ନ୍ୟୁୟର୍କ ସିଟିର ଲଙ୍ଗ ଆଇଲାଣ୍ଡରେ ଜନ୍ମିତ ଏହି କବି ପୂର୍ବରୁ ଆମେରିକାରେ ନାସନାଲ ହ୍ୟୁମାନିଟିଜ୍ ମେଡାଲ, ପୁଲିତଜର୍ ପୁରସ୍କାର, ଜାତୀୟ ପୁସ୍ତକ ପୁରସ୍କାର, ନାସନାଲ ବୁକ୍ କ୍ରିଟିକ୍ ସର୍କଲ ଆଓ୍ବାର୍ଡ ଓ ବଲିଙ୍ଗେନ୍ ପୁରସ୍କାର ଭଳି ବହୁ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ଜଣେ ଆତ୍ମଜୀବନୀ ଧର୍ମୀ କବିତା ଲେଖକ ଭାବେ ପରିଚିତ ଗ୍ଲକ୍ଙ୍କ କବିତାରେ ଭାବପ୍ରବଣତାର ଭାର ଅଧିକ। ଏହା ଭିନ୍ନ ସେ ମିଥ୍, ଇତିହାସ ଠାରୁ ଆରମ୍ଭ କରି ପ୍ରକୃତି, ବ୍ୟକ୍ତିଗତ ଉପଲବ୍ଧି ତଥା ଆଧୁନିକ ଜୀବନଧାରାକୁ କବିତାର ରୂପ ଦିଅନ୍ତି। ମଣିଷର ବେଦନା, କାମନା ଓ ପ୍ରକୃତି ତାଙ୍କ କବିତାର ମୁଖ୍ୟ ଆଧାର ବୋଲି ସମାଲୋଚକମାନେ କହନ୍ତି। ତାଙ୍କର ୧୫ଟି କବିତା ସଂକଳନ ଓ ଦୁଇଟି ପ୍ରବନ୍ଧ ସଂକଳନ ରହିଛି।
ସଂପ୍ରତି ଗ୍ଲକ୍ ୟେଲା ବିଶ୍ବବିଦ୍ୟାଳୟରେ ସହାୟକ ପ୍ରାଧ୍ୟାପକ ଅଛନ୍ତି। ସେ ମାସାଚୁଟ୍ ପ୍ରଦେଶର କେମ୍ବ୍ରିଜ୍ ସହରରେ ଅବସ୍ଥାନ କରୁଛନ୍ତି।
Comments are closed.