ଲିକେଜରୁ ନିଆଁ ଲାଗି ବିସ୍ଫୋରଣ: ପେସୋ
ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ତାହା ହେଲା ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣାର ପ୍ରାଥମିକ ତଦନ୍ତ ପରେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ(ପେସୋ)ର ଉପମୁଖ୍ୟ କଣ୍ଟ୍ରୋଲର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଟାଙ୍କିରେ ନାଇଟ୍ରୋଜେନ ଦେଇ ଏଲପିଜି ଭର୍ତ୍ତି ବେଳେ ଲିକେଜ ହୋଇଥିଲା।
ଲିକେଜ ହେବା ପରେ ନିଆଁ ଲାଗିଯାଇଥିଲା। ପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢେ ୪ଟନ ଏଲପିଜି ରହିଥିଲା। ପ୍ରଥମିକ ତଦନ୍ତ ସରିଛି। ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ। ବିସ୍ଫୋରଣରେ ମୃତାହତ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଛି ବୋଲି ପେସୋର ଉପମୁଖ୍ୟ କଣ୍ଟ୍ରୋଲର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କମିଶନରେଟ ପୁଲିସ୍ ନିଜ ଆଡୁ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଛି। ରାଜଭବନ ନିକଟ ଆଓସିଏଲ ପେଟ୍ରୋଲ ପମ୍ପରେ ହୋଇଥିବା ଏହି ଅଘଟଣରେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା। ଏପରିକି ରାଜଭବନର କିଛି ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତର କଟକ ବଡ଼ ମେଡିକାଲେ ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଛିନ୍ଛତ୍ର ହୋଇ କଟା ହାତ, ଗୋଡ଼ ଓ କାନ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇ ନ ଥିବା ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।
Comments are closed.