ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା, କହିଲେ ଏହି କଥା…

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠି ସହ କରୋନା କଟକଣା ଉଲ୍ଲଘଂନ ସମ୍ପର୍କିତ ଦସ୍ତାବିଜ ମଧ୍ୟ ପଠାଇଛନ୍ତି । ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ପଠାଇ ଅପରାଜିତା ଷଡ଼ଙ୍ଗୀ ଉକ୍ତ ଚିଠି ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି। ଏଥିସହ ନିୟମ ଭାଙ୍ଗିଥିବା ନେତାଙ୍କ ପ୍ରତି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ସେ ଉକ୍ତ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି।
ଏଥିସହ ବିଜେଡି ମୁଖ୍ୟାଳୟ ସିଲ୍ କରିବା ନିମନ୍ତେ ପଦକ୍ଷେପ ନେବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିସହ ବିଏମସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ସିଲ କରାଯାଇଥିବାରୁ ସେ ରାସ୍ତା ଉପରେ ଣୁଣାଣି କରୁଥିବା ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, କରୋନା କଟକଣା ଉଲ୍ଲଘଂନ କରିଥିବା ନେଇ ଗତ ଶନିବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ ଅଫିସକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସିଲ କରାଯାଇଥିଲା। ଏନେଇ ଗତକାଲି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ଜନଶୁଣାଣି କରିଥିଲେ ଶ୍ରୀମତୀ ଷଡ଼ଙ୍ଗ । ଏହି ଅବସରରେ ସେ କହିଥିଲେ ଯେ, ଅଫିସ ସିଲ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରିବି। କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ। ରାଜରାସ୍ତା, ମୋ କାର୍ଯ୍ୟାଳୟ ବାହାର ଓ ମୋ ଘର ବାହାରେ କାର୍ଯ୍ୟକ୍ରମ ହେବ। ରାଜରାସ୍ତାରେ କାର୍ଯ୍ୟାଳୟ କରିବାକୁ ପଡ଼ୁଥିବାରୁ ମୁଁ ମର୍ମାହତ ଓ ଦୁଃଖିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୮ଟି ପ୍ରଶ୍ନ କରି ଚିଠି ଲେଖିଛି। ୧୫ ଦିନରେ ତଦନ୍ତ ପାଇଁ ଲେଖିଛି। ସରକାର ଆକ୍ସନ ଟେକନ ରିପୋର୍ଟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଥିଲେ।
Comments are closed.