ମିଠା ବ୍ୟବସାୟୀଙ୍କୁ ସୁପାରୀ କିଲର ଦ୍ବାରା ହତ୍ୟା: କମିଶନର

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍କୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସୁପାରି କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା। ଅଗ୍ରୀମ ଆକାରରେ ଶ୍ରୀତିକକୁ ୧୦ ହଜାର ଦିଆଯାଇଥିଲା। ପରେ ବାକି ୪୦ ହଜାର ଓ ଓକିଲ ଖର୍ଚ୍ଚ ବହନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।
ବ୍ୟବସାୟିକ ଶତ୍ରୁତା ପାଇଁ ରାଜା ବେହେରା ଶମ୍ଭୁ ସାହୁଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ। ଘଟଣା ଦିନ ସୁପାରୀ କିଲର ଶ୍ରୀତିକ ଶମ୍ଭୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଆଶୁତୋଷ ସେଦିନ ବାଇକ ଚଳାଉଥିଲା। ଆଜି ଶ୍ରୀତମ, ଆଶୁତୋଷ ସହ ଆଉ ଜଣଙ୍କୁ ଗିରଫ କରାଯାଇଛି। ତୁମୁଡ଼ିବନ୍ଧରେ ଛପି ଥିବା ସମସ୍ତ ୩ ଜଣଙ୍କୁ ସ୍ପେଶାଲ ସ୍କ୍ୱାଡ ଗିରଫ କରିଥିବା କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏଯାବତ ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। ପୂର୍ବରୁ ରାଜା ଆତ୍ମସମର୍ପଣ କରିଛି। ଅଧିକ ପଚରାଉଚୁରା ପାଇଁ ରାଜାକୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ସୂଚନାଯୋଗ୍ୟ, ସୁପାରି କିଲର୍ଙ୍କ ସନ୍ଧାନରେ କମିସନରେଟ୍ ପୁଲିସ୍ର ସ୍ପେସାଲ ସ୍କ୍ବାଡ୍ ବ୍ରହ୍ମପୁରରେ ପହଞ୍ଚିଥିଲା। ସ୍କ୍ବାଡ୍ର ଦୁଇଟି ଟିମ୍ ସ୍ଥାନୀୟ ପୁଲିସ୍ ସହାୟତାରେ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ସୁପାରି କିଲର୍ ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଥିଲା। ଜଣେ ମାଷ୍ଟରମାଇଣ୍ଡ୍ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ଟଙ୍କା ନେଇ ହତ୍ୟାକାଣ୍ଡ କରୁଥିବା ପୁଲିସ୍ ସୁରାକ୍ ପାଇଥିଲା।
Comments are closed.