ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ ଓଟିଭିର ଖବର ମିଛ: ରାଜ୍ୟ ସରକାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରି ନ ଥିଲେ ଓ ଗଣମାଧ୍ୟମକୁ ମିଛ ଫଟୋ ତଥା ଭିଡିଓ ଦିଆଯାଇଛି ବୋଲି ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓଟିଭିରେ ଗତକାଲି ଠାରୁ ଏକ ଖବର ପ୍ରସାରଣ ହୋଇଆସୁଛି। ତେବେ ଏ ନେଇ ଆଜି ରାଜ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର କରୁଥିବା ସରକାରଙ୍କ ପକ୍ଷରୁ କହାଯାଇଛି। ସେଦିନ ମୁଖ୍ୟମନ୍ତ୍ରୀ ଅଧଘଣ୍ଟାର ଗସ୍ତ କାର୍ଯ୍ୟକ୍ରମ କରିଥିଲେ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ସୂଚନା ଅଧିକାର ଆଇନ ଆଧାରରେ ଭୁବନେଶ୍ବର ବିମାନ ବନ୍ଦର କର୍ତୃପକ୍ଷଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ଓଟିଭି ଅଭିଯୋଗ କରିଥିଲା ଯେ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରିବା ତଥ୍ୟ ମିଛ। ସେଦିନ ଭୁବନେଶ୍ବର ବିମାନବନ୍ଦରରେ କୌଣସି ଭିଭିଆଇପି ଯାତ୍ରା କରି ନଥିଲେ ବୋଲି ଆର୍ଟିଆଇ ତଥ୍ୟ ଆଧାରରେ ଦାବି କରିଥିଲା ଓଟିଭି। ଓଟିଭି କହିଥିଲା ଯେ ସେଦିନ ଓଏସ୍ଏସ୍ ଏୟାର ମାନେଜମେଣ୍ଟର ଏକ ବିମାନ ମାତ୍ର ୧୯ ମିନିଟ୍ ଉଡ଼ାଣ କରିଥିଲା।
ତେବେ ଓଟିଭିର ଅଭିଯୋଗକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନିଜେ ହେଲିକପ୍ଟରରେ ଗସ୍ତ କରି ଯାଜପୁର ବନ୍ୟାଞ୍ଚଳ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଡ଼ାଣ ଭିଭିଆଇପି କାଟେଗୋରୀର ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ମୋଟ ଗସ୍ତ ସମୟ ୩୦ ମିନିଟ୍ ଥିଲା ଓ ଉଡ଼ାଣ ସମୟ ୧୯ ମିନିଟ୍। ଭୂମିରୁ ଉଡ଼ାଣ ଓ ଅବତରଣ ସମୟ ଏୟାରଟାଇମ୍ରେ ସାମିଲ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଦୁଇ ଇଞ୍ଜିନ ବିଶିଷ୍ଟ ଅତ୍ୟାଧୁନିକ ହେଲିକପ୍ଟରରେ ଯାତ୍ରା କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ଏହି ହେଲିକପ୍ଟରରୁ ୫-୬ ମିନିଟ୍ ସମୟ ଲାଗିଥିଲା। ବନ୍ୟାଞ୍ଚଳ ଫଟୋ ଓ ଭିଡିଓ ସେଦିନ ଗଣମାଧ୍ୟମକୁ ଦିଆଯାଇଥିଲା ବୋଲି ସରକାର ସ୍ପଷ୍ଟ କରିଛନ୍ତି।
Comments are closed.