Odisha Link
Bridging the Missing Links in Odisha

ଓଟିଭି ବିରୋଧରେ ଯାଜପୁରରେ ଏତଲା ପାଇଁ ସଜବାଜ

ଯାଜପୁର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ ମିଥ୍ୟା ଖବର ପ୍ରସାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନାରେ ଖବର ଚାନେଲ ଓଟିଭି, ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ଓ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଯାଏଁ ଏତଲା ଦିଆ ହୋଇ ନଥିଲେ ହେଁ, ସମ୍ଭାବ୍ୟ ଏତଲାର ଏକ ନକଲ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜନୈକ ଅମ୍ବିକା ପ୍ରସାଦ ସାମଲ ନାମ ବ୍ୟକ୍ତି ଗତକାଲି ସଂଧ୍ୟାରେ ବରୀ-ରାମଚନ୍ଦ୍ରପୁର ଥାନାରେ ଏତଲା ଦେବା ପାଇଁ ଉଦ୍ୟମ କରିଥିଲେ। ଏତଲାରେ କିଛି ତ୍ରୁଟି ଥିବାରୁ ସେ ଫେରି ଆସିଥିଲେ ଓ ଆଜି ଏତଲା ଦେବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।

ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରିବା ପାଇଁ ହେଲିକପ୍ଟରରେ ଯିବାର ଫଟୋ ଓ ଭିଡିଓ ସେତେବେଳେ ଗଣମାଧ୍ୟମକୁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିଲା। ତେବେ ବିମାନବନ୍ଦର କର୍ତୃପକ୍ଷଙ୍କ ଠାରୁ ଏହି ଉଡ଼ାଣ ସମ୍ପର୍କିତ ଅଧିକ ତଥ୍ୟ ଆର୍‌ଟିଆଇ ମାଧ୍ୟମରେ ମାଗିଥିଲେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ। ଏହି ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସନ୍ଦେହପ୍ରକଟ କରି ଖବର ପ୍ରସାରଣ କରିଥିଲା ଓଟିଭି। ସେଦିନ ଗୋଟିଏ ହେଲିକପ୍ଟର ମାତ୍ର ୧୯ ମିନିଟ୍‌ ଉଡ଼ାଣ କରିଥିବା ବେଳେ ଏତିକି ସମୟରେ ଭୁବନେଶ୍ବରରୁ ଯାଇ କେଉଁ ବନ୍ୟାଞ୍ଚଳ ମୁଖ୍ୟମନ୍ତ୍ରୀ ବୁଲିଲେ ବୋଲି ଶ୍ରୀ ପାକଳ ଓ ଅନ୍ୟତମ ସୂଚନା ଅଧିକାର କରମୀ ପ୍ରଦୀପ ପ୍ରଧାନ ଓଟିଭି ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ।

ସମାନ ଘଟଣାକୁ ନେଇ ଅନ୍ୟ କେତେକ ଖବର ସରବରାହ ସଂସ୍ଥା ମଧ୍ୟ ଖବର ପ୍ରସାରଣ କରିଥିଲେ। ଅନ୍ୟ ଏକ ଟିଭି ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ଏହି ବନ୍ୟାଞ୍ଚଳ ପରିଦର୍ଶନ ପ୍ରଚାରକୁ “ଶତାବ୍ଦୀର ମହାମିଛ” ବୋଲି ଦାବି କରାଯାଇଥିଲା। ତେବେ ଗତକାଲି ସରକାରୀ ସୂତ୍ରରୁ ଏଭଳି ଖବରକୁ ଖଣ୍ଡନ କରାଯିବା ସହ ସେଦିନ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ଗସ୍ତ କରିଥିଲେ ବୋଲି ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ହେଲିକପ୍ଟରରେ ଯାତ୍ରା କରୁଛନ୍ତି ଯାହା ଭୁବନେଶ୍ବରରୁ ବନ୍ୟାଞ୍ଚଳରେ ପହଞ୍ଚିବା ଲାଗି ମାତ୍ର ୫-୬ ମିନିଟ୍‌ ସମୟ ନେଇଥିଲା ବୋଲି କହାଯାଇଛି।

Comments are closed.