ନଭେମ୍ବରରେ ଭୁବନେଶ୍ୱର ଆସିବ ବିଜୁବାବୁଙ୍କ ଡାକୋଟା ବିମାନ
କଟକ: କୋଲ୍କାତାର ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାର୍ଲାଇନ୍ସର ଡାକୋଟା ବିମାନ ଭୁବନନେଶ୍ବର ଆସିବାର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅନୁମୋଦନ ପରେ ଏହା ତ୍ବରାନ୍ବିତ ହୋଇଛି।
କୋଲକାତାର ନିଲୁ ଇଣ୍ଟେରିଅର୍ ପକ୍ଷରୁ ନେତାଜୀ ସୁଭାଷ ବିମାନ ବନ୍ଦରରେ ଉକ୍ତ ଡାକୋଟାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକୋଟା ବିମାନର ଆଖପାଖ ଅଞ୍ଚଳ ସଫା କରାଯାଉଛି। କୋଲ୍କାତା ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିମାନ ଖୋଲିବା ପାଇଁ ୱେଲଡିଂ ଯନ୍ତ୍ରପାତି ବ୍ୟବହାରର ଅନୁମତି ମିଳିବା ପରେ ଆସନ୍ତା ୨୧/୨୨ ତାରିଖରୁ ବିମାନ ଖୋଲାଯିବ ଓ ନଭେମ୍ବର ପ୍ରଥମ ସପ୍ତାହରେ ଏହା ଭୁବନେଶ୍ବରକୁ ଅଣାଯିବ ବୋଲି ନିଲୁ ଇଣ୍ଟେରିଅର୍ର ମୁଖ୍ୟ ନିଲୁ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଇଣ୍ଡୋନେସିଆର ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ଦିଲ୍ଲୀକୁ ଆଣିବା ତଥା ୧୯୪୭-୪୮ ମସିହା କଶ୍ମୀର ଅପରେସନ୍ରେ ବିଶେଷ ଭୂମିକା ଗ୍ରହଣ କରିଥିବା ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୮ଟି ଡାକୋଟା ବିମାନ ଭିତରୁ ଗୋଟିଏ କୋଲ୍କାତାର ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ି ରହିଛି। ଉକ୍ତ ବିମାନକୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆଣିବା ପାଇଁ ଗତବର୍ଷ ରାଜ୍ୟ ସରକାର ଯୋଜନା କରିଥିଲେ। ଚଳିତବର୍ଷ ଜାନୁଆରି ପ୍ରଥମ ସପ୍ତାହରୁ ସରକାର ଏଥିପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଜାନୁଆରି ୨୧ ତାରିଖରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ସଚିବ ପ୍ରେମାନନ୍ଦ ଖୁଣ୍ଟିଆ ଏ ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଅରବିନ୍ଦ୍ ସିଂଙ୍କୁ ପତ୍ର ଲେଖିଥିଲେ। ଏଏଆଇର ଅନୁମୋଦନ ପରେ ଏହାକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।
କୋଲ୍କାତାର ନିଲୁ ଇଣ୍ଟେରିଅର୍ ଏହାର ସ୍ଥାନାନ୍ତର ଠିକା ପାଇଛି। ଚୁକ୍ତି ମୁତାକବ, ଉକ୍ତ ସଂସ୍ଥା ଡାକୋଟା ବିମାନକୁ ଖୋଲି ସଡ଼କପଥରେ ଭୁବନେଶ୍ବରକୁ ଆଣି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାହାକୁ ଯୋଡ଼ି ପୁରୁଣା ଅବସ୍ଥାକୁ ଆଣିବ। ବିମାନଟି କୋଲ୍କାତା ବିମାନ ବନ୍ଦରର ରନ୍ୱେ ନିକଟରେ ରଖାଯାଇଥିବାରୁ ଏହାକୁ ଖୋଲିବାରେ କେତେକ କଟକଣା ରହିଛି। ବିମାନ ବନ୍ଦର ନିୟମ ଅନୁଯାୟୀ ଗ୍ୟାସ୍ କଟର୍ ବ୍ୟବହାର ପାଇଁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅନୁମତି ଲୋଡ଼ା। ନିଲୁ ଇଣ୍ଟେରିଅର୍ ବିମାନ ବନ୍ଦର ଭିତରେ ଗ୍ୟାସ୍ କଟର୍ ବ୍ୟବହାର ପାଇଁ ଅନୁମତି ମାଗିଛି। ଆସନ୍ତା ୨୧/୨୨ ତାରିଖରେ ଅନୁମତି ମିଳିବ ବୋଲି ତାଙ୍କୁ ସୂଚନା ଦିଆଯାଇଛି। ଅନୁମତି ମିଳିବା କ୍ଷଣି ବିମାନଟି ଖୋଲାଯାଇ ନଭେମ୍ବର ଆରମ୍ଭରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ପଠାଯିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।
Comments are closed.