ଖବରକାଗଜ ବାଣ୍ଟିଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ
ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାରରେ ମାତିଛନ୍ତି ନେତା ଓ ମନ୍ତ୍ରୀ। ବାଲେଶ୍ୱର ସହରରେ ଆଜି ସକାଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ସକାଳ ପ୍ରାୟ ସାଢେ ୬ଟା ସମୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଇକେଲରେ ଘର ଘର ବୁଲି ଖବରକାଗଜ ବାଣ୍ଟିଛନ୍ତି।
ବାଲେଶ୍ୱର ସହରର କଚେରୀ ବଜାର, ନୂଆ ବଜାର ଓ ରାଣୀପାଟଣା ଅଞ୍ଚଳର କେତେକ ଘର ବୁଲି ଖବରକାଗଜ ବାଣ୍ଟିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ମନ୍ତ୍ରୀ ଯେଉଁ ଲୋକଙ୍କ ଘରକୁ ଯାଉଥିଲେ ତାଙ୍କୁ ନିଜର ପରିଚୟ ଦେଇ ‘ଏବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିଲାଣି, ଆପଣମାନେ ଭ୍ରମଣରେ ଯାଆନ୍ତୁ’ ବୋଲି କହୁଥିବାର ଦେଖିବାକୁ ମିଳିଛି।
ଏହାକୁ ନିର୍ବାଚନ ପ୍ରଚାରର ନିଆରା ଶୈଳୀ ବୋଲି କୁହାଯାଉଥିବା ବେଳେ ମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘କେବଳ ବିଭାଗୀୟ ମନ୍ତ୍ରୀ ଭାବେ ନିଜର ଦାୟିତ୍ବ ନିର୍ବାହ କରି ପର୍ଯ୍ୟଟନସ୍ଥଳୀ ଖୋଲିବା ସଂପର୍କରେ ସୂଚନା ଦେଇଛି। ମୋ’ ଦଳକୁ ଭୋଟ୍ ଦିଅନ୍ତୁ ବୋଲି କାହାରିକୁ କହିନାହିଁ।’ ବିଜେଡି ନେତା ଅରୁଣ ସ୍ବାଇଁଙ୍କ ନେତୃତ୍ବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
Comments are closed.