୧୪,୩୭୯ ସ୍କୁଲ ବନ୍ଦ କରିଦେବେ ରାଜ୍ୟ ସରକାର!

କଟକ: ରାଜ୍ୟ ବନ୍ଦ ହେବାକୁ ଯାଉଛି ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ ରୁ ଲାଗୁ ହେବାକୁ ଯାଉଥିବା ବେଳେ ନିଷ୍ପତ୍ତିକୁ ଚାଲେଞ୍ଚ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଅଣାଯାଇ ଏହାକୁ ରଦ୍ଦ ପାଈଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।
ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ପ୍ରାଥମିକ ବିଦ୍ୟାଳୟ (ପ୍ରଥମ ରୁ ପଞ୍ଚମ) ରେ ସମୁଦାୟ ମାତ୍ର ୨୦ ରୁ ୪୦ ଜଣ ମଧ୍ୟରେ ପିଲା ଅଛନ୍ତି। ସେହିସବୁ ବିଦ୍ୟାଳୟକୁ ଏହାର ୧ କି.ମି. ପରିଧି ମଧ୍ୟରେ ଆସୁଥିବା ସ୍ଥାନୀୟ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯିବ। ଯେଉଁ ମାଧ୍ୟମିକ ବିଦ୍ୟାଳୟ (ଷଷ୍ଠ ରୁ ଅଷ୍ଟମ) ରେ ମାତ୍ର ୫୦ ଜଣ ମଧ୍ୟରେ ଛାତ୍ରଛାତ୍ରୀ ଅଛନ୍ତି ସେହିସବୁ ବିଦ୍ୟାଳୟକୁ ମଧ୍ୟ ଏହାର ୨ କି.ମି. ପରିଧି ମଧ୍ୟରେ ଆସୁଥିବା ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ (ଅଷ୍ଟମ ରୁ ଦଶମ) ଶ୍ରେଣୀରେ ଯଦି ପିଲାଙ୍କ ସଂଖ୍ୟା ୬୦ରୁ କମ୍ ଥାଏ ସେହି ବିଦ୍ୟାଳୟକୁ ଏହାର ୩ କି.ମି. ପରିଧି ମଧ୍ୟରେ ମିଶ୍ରଣ କରି ଦିଆଯିବ ବୋଲି ନଷ୍ପତ୍ତି ହୋଇଛି।
ଏଭଳି କମ୍ ସଂଖ୍ୟକ ପିଲା ଥିବା ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିଦିଆଯିବା ପରେ ଏଥିରେ ସବୁଦିନ ପାଇଁ ତାଲା ପକାଇ ଦିଆଯିବ। ରାଜ୍ୟ ସରକାରଙ୍କ ଏହି ସ୍କୁଲ୍ ବନ୍ଦ ନିଷ୍ପତ୍ତି ବେଆଇନ୍, ଅଗଣତାନ୍ତ୍ରିକ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି। ସରକାରୀ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି ତାହାର କୌଣସି ତର୍ଜମା କରାଯାଉନି। ଏହାର କାରଣ ଦର୍ଶାଇବାକୁ ଯାଇ ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ ସରକାରୀ ବିଦ୍ୟାଳୟରେ ଭଲ ପଢ଼ା ଯାଉନି। ଅନେକ ସ୍ଥାନରେ ସ୍କୁଲ୍ ଗୃହ ନାହିଁ। ସ୍କୁଲରେ ଶିକ୍ଷକ ନାହାନ୍ତି। ଏପରିକି ଅନେକ ମୌଳିକ ସୁବିଧା ଯେମିତି ପିଇବା ପାଣିର ସୁବିଧା ବି ନାହିଁ। ଯଦି ଏହିସବୁ ବିଦ୍ୟାଳୟ ବନ୍ଦ ହୋଇଯାଏ ତାହେଲେ ଗ୍ରାମାଞ୍ଚଳ ଗରିବ ପିଲାଟି ଦୁରକୁ ପଢ଼ିବାକୁ ଯାଇନପାରି ଅଧାରୁ ପଢ଼ା ଛାଡ଼ିବାକୁ ବାଧ୍ୟ ହେବ ।
ରାଜ୍ୟରେ ବର୍ତ୍ତମାନ ୧୪ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଛି। ୨୦୧୬ ମସିହାରୁ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ । ବର୍ତ୍ତମାନ ରାଜ୍ୟରେ ସିଟି,ବିଇଡ଼ି, ପାସ୍ କରି ପ୍ରାୟ ୭୪ ହଜାରରୁ ଅଧିକ ଆଶାୟୀ ନିଯୁକ୍ତି ନପାଇ ବେକାର ହୋଇ ବସି ରହିଛନ୍ତି। ଆହୁରି ମଧ୍ୟ ରାଜ୍ୟ ୧୨୫ଟି ପ୍ରାଥମିକ ବିଦ୍ୟାଳୟର କୋଠା ନାହିଁ । ୧୧ ହଜାର ୯୬୬ ଟି ବିଦ୍ୟାଳୟରେ ଭଙ୍ଗା ସ୍କୁଲ୍ ଗୃହ ଯୋଗୁଁ ପିଲାଙ୍କ ପଢ଼ିବାରେ ସମସ୍ୟା ହେଉଛି । ୧୩୪ଟି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ପାଇଁ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଏସବୁ ସମସ୍ୟାକୁ ସମାଧାନ କରିବା ରାଜ୍ୟ ସରକାର ସ୍କୁଲ୍ ବନ୍ଦ କରିବାରେ ଲାଗି ପଡ଼ିଛନ୍ତି । ତେଣୁ ଏହି ନିଷ୍ପତ୍ତିକୁ ରଦ୍ଦ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।
Comments are closed.