Odisha Link
Bridging the Missing Links in Odisha

୧୦ ମାସରେ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ଥାନ

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କାର୍ଯ୍ୟରେ ଲିପ୍ତ। ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଡ୍ରଗ୍ସ ଚୋରାଚାଲାଣ କରାଯାଉଛି। ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଡ୍ରଗ୍ସ ଚୋରାଚାଲାଣ ପାଇଁ ଡ୍ରୋନର ବ୍ୟବସ୍ଥା କରାଯାଉଛି। ଚଳିତ ବର୍ଷ ୧୦ ମାସରେ ମଧ୍ୟରେ ପାକିସ୍ତାନ ପକ୍ଷରୁ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

ଏହା ବ୍ୟତୀତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଜନବସତି ଅଂଚଳରେ ମଧ୍ୟ ପାକ ସେନା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପକାଇବାକୁ ଚେଷ୍ଟା କରିଛି। ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସହାୟତା ଯୋଗାଇବା ସହ ଅସ୍ତ୍ରଶସ୍ତ୍ର ତଥା ନିଶା କାରବାରରେ ଲିପ୍ତ ରହିଛି।ଅନ୍ତର୍ଜାତୀୟ ସୀମା ନିୟମ ଉଲ୍ଲଂଘନ କରୁଥିବାରୁ ପାକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଶ୍ରୀ ଶ୍ରୀବାସ୍ତବ ଆହୁରି କହିଛନ୍ତି ଯେ ଡିଜିଏମଓ ସ୍ତରୀୟ ବୈଠକରେ ଏହି ଉଲ୍ଲଂଘନ ସମ୍ପର୍କରେ ନିୟମିତ ଭାବେ ଅବଗତ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାକିସ୍ତାନ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଅନ୍ୟପକ୍ଷରେ ଜାତିସଂଘ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର, ଦାଉଦ ଇବ୍ରାହିମ ଏବଂ ଜାକି ଉର ରେହମାନ ଲଖବି ବିରୋଧରେ ମଧ୍ୟ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

Comments are closed.