ଟଙ୍କା ପାଇଁ ଶିଶୁ କନ୍ୟାକୁ ବିକି ଦେଲେ ବାପା-ମା’ !
ସମ୍ବଲପୁର: ନିଜ ଛୁଆର ଖୁସି ପାଇଁ ମାତା ପିତା କିଛି ବି କରିବାକୁ ପଛେଇ ନଥାନ୍ତି । କିନ୍ତୁ ଟଙ୍କା ପାଇଁ ନିଜ ଜନ୍ମ କଲା ଶିଶୁ କନ୍ୟାକୁ ବିକ୍ରି କରି ଦେଲେ ମାତା, ପିତା । ଏହି ପରି ନିନ୍ଦନୀୟ ଘଟଣାଟି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁରେ ଘଟିଛି।
ମାତ୍ର ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ପର ହାତକୁ ଟେକି ଦେଲେ। ଏନେଇ ଅଭିଯୋଗ ହେବା ପରେ ଚାଇଲଡ୍ ଲାଇନ୍ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ କେଉଟିବାହଳି ଗାଁର ଶଙ୍କର କର୍ଣ୍ଣଙ୍କ ପତ୍ନୀ ନଳିନୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ସେ ନିଜର ଶିଶୁ କନ୍ୟାକୁ ରେଢାଖୋଲ ଥାନା ତ୍ରୀବଣପୁର ପଞ୍ଚାୟତର କୁଷାପାଲି ଗାଁର ଲଳିତ ପ୍ରଧାନ ଓ ସୁଶମା ପ୍ରଧାନଙ୍କୁ ବିକ୍ରି କରିଦେଇଥିଲେ। ଶିଶୁ ବିକ୍ରି ସମ୍ପର୍କରେ ଖବର ପାଇ ରେଢାଖୋଲ ଚାଇଲଡ୍ଲାଇନ୍ କର୍ମକର୍ତ୍ତାମାନେ ଚାରମାଲ ଥାନାରେ ଅଭିଯୋଗ କରିଥିଲେ।
ଚାଇଲ୍ଡ ଲାଇନ ଓ ଚାରମାଲ ପୋଲିସ୍ ଆଜି ସକାଳୁ ଶିଶୁଟିକୁ ଉଦ୍ଧାର କରିଥିଲେ। ରେଢାଖୋଲ ମେଡିକାଲ୍ରେ ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଆଇନ୍ ଅନୁଯାୟୀ ରଖାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି। ଶିଶୁ କନ୍ୟାର ବୟସ ମାତ୍ର ୧ ମାସ ୭ ଦିନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ, ଶିଶୁକନ୍ୟାକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି।
Comments are closed.