ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସ୍ପଷ୍ଟ ହେଲା ଡିଏନଏ ରିପୋର୍ଟ, ନିଖୋଜ ସୀମାଞ୍ଚଳ ମୃତ

ଭୁବନେଶ୍ୱର: ରାଜଧାନୀର ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡଏନଏ ରିପୋର୍ଟ ଆସିଛି। ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ମିଳିଥିବା ମାଂସ ଖଣ୍ଡ ଓ ହାଡ଼କୁ ଜବତ କରି ଫରେନସିକ ଲାବକୁ ପଠାଯାଇଥିଲା। ନିଖୋଜ ସୀମାଞ୍ଚଳ ପରିଡାଙ୍କ ପରିବାର ଲୋକଙ୍କ ସାମ୍ପୁଲ ବି ନିଆଯାଇଛି।
ତେବେ ଗୁରୁବାର ଆସିଛି ଡିଏନ୍ଏ ରିପୋର୍ଟ। ନିଖୋଜ ସୀମାଞ୍ଚଳ ହିଁ ମୃତକ ବୋଲି ସ୍ପଷ୍ଟ ହୋଇଛି। ଏ ନେଇ ପୋଲିସ କମିଶନର ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଏଥିସହିତ ଡିଏନ୍ଏ ରିପୋର୍ଟ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।
ପ୍ରକାଶ ଯେ, ଗତ ୭ ତାରିଖରେ ଗଭର୍ଣ୍ଣର ହାଉସ୍ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ। ଅଘଟଣରେ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମାଂସ ଖଣ୍ଡ ପଡ଼ିଥିଲା। ଅପରପକ୍ଷରେ ସୀମାଞ୍ଚଳ ପରିଡ଼ା ନାମକ ଘଟଣା ପରଠୁ ନିଖୋଜ ଥିଲେ। ଏଣୁ ସେହି ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡ ତାଙ୍କର ହୋଇଥିବ ବୋଲି ସନ୍ଦେହ ଉପୁଜିଥିଲା। ଏବଂ ସେହି ମାଂସ ଖଣ୍ଡ ସହ ତାଙ୍କ ପରିବାର ଲୋକଙ୍କ ନମୁନା ସଂଗ୍ରହ କରାଯାଇ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ଡିଏନ୍ଏ ଟେଷ୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଛି।
ଏଥିସହିତ ଅଘଟଣରେ ମୋଟ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଅପରପକ୍ଷରେ ପୁଅର ଫେରିବା ବାଟକୁ ଅନାଇ ନିରାଶ ହେବା ପରେ ପ୍ରତିକାତ୍ମକ ଭାବେ ଶବ ସତ୍କାର କରିଥିଲେ ପରିବାର।
Comments are closed.