ବିନା ଷ୍ଟପେଜରେ ୨୪୦ କି.ମି ଚାଲିଲା ଟ୍ରେନ୍, ଅପହୃତ ଶିଶୁକୁ ବଞ୍ଚାଇଲା ପୋଲିସ୍

ଭୋପାଳ: ଅପହୃତ ପିଲାକୁ ବଞ୍ଚାଇବା ପାଇଁ ଭାରତୀୟ ରେଲଓ୍ବେ ପକ୍ଷରୁ ହୋଇଛି ଅଭିନବ ପ୍ରୟାସ। ଭାରତ ରେଲଓ୍ବେ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଟ୍ରେନ୍ ଲଗାତାର ୨୪୦ କିଲୋମିଟର ବିନା କୌଣସି ଷ୍ଟେସନରେ ନରହି ଚାଲିଥିଲା। ଶେଷରେ ଏକ ଅପହୃତ ଶିଶୁକୁ ସୁରକ୍ଷତି ଭାବରେ ଉଦ୍ଧାର କରିଛି ରେଲଓ୍ବ ପୋଲିସ୍। ଏକଥା ଅବିଶ୍ବାସ ଲାଗୁଥିଲେ ବି ସତ। ଉତ୍ତର ପ୍ରଦେଶର ଲଳିତପୁରରୁ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ପର୍ଯ୍ୟନ୍ତ ଟ୍ରେନଟି ପ୍ରାୟ ୨୪୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଷ୍ଟେସନରେ ନରହି ଏକ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା।
ଜାତୀୟ ଗଣାମଧ୍ୟପରେ ପ୍ରକାଶିତ ଖବର ଅନୁଯାୟୀ, ଲଳିତପୁରରେ ଜରେ ମହିଳା ଆରପିଏଫ୍ ପୋଲିସକୁ କହିଥିଲେ ଯେ, ଜଣେ ବ୍ୟକ୍ତି ତାଙ୍କ ଝିଅକୁ ବଳପୂର୍ବକ ଅପହରଣ କରି ନେଇଯାଇଛି। ଯାହାକୁ ସେ ଟ୍ରେନରେ ଚଢୁଥିବାର ଦେଖିଛନ୍ତି। ସୂଚନା ମିଳିବା ମାତ୍ରେ ଲଳିତପୁର ଷ୍ଟେସନର ସିସିଟିଭି ଫୁଟେଜ୍ ଦେଖାଯାଇଥିଲା, ଯେଉଁଥିରେ ମହିଳା ଜଣକ ନିଜ ଝିଅକୁ ଚିହ୍ନିଥିଲେ। ଫୁଟେଜ ଆଧାରରେ ଜଣାପଡିଥିଲା ଯେ, ଝିଅଟିକୁ ନେଇ ଯେଉଁ ବ୍ୟକ୍ତିଜଣକ ଯାଉଛି ସେ ରାଫତି ସାଗର ଏକ୍ସପ୍ରେସରେ ଚଢିଛି।
ଏହାର ତୁରନ୍ତ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଟ୍ରେନକୁ ଭୋପାଳ ପର୍ଯ୍ୟନ୍ତ ବାଟରେ କୌଣସି ଷ୍ଟେସନରେ ନରଖି ଝିଅଟିର ଉଦ୍ଧାର କରାଯିବ। ଏହି ସୂଚନା ତୁରନ୍ତ ଭୋପାଳ ଆରପିଏଫ ନିକଟକୁ ପଠାଯାଇଥିଲା। ଏହା ଭିତରେ ପଡିଥିବା କୌଣସି ଷ୍ଟେସନରେ ଟ୍ରେନ ଅଟକା ଯାଇନଥିଲା। ଟ୍ରେନ ଯେତେବେଳେ ଭୋପାଳରେ ପହଁଞ୍ଚିଥିଲା, ସେତେବେଳେ ପ୍ଲାଟଫର୍ମକୁ ଆରପିଏଫ୍ ଓ ଜିଆରପି ଘେରାଉ କରିନେଇଥିଲା। ପ୍ଲାଟଫର୍ମର ଦୁଇପଟୁ ଯବାନଙ୍କୁ ଠିଆ କରାଇ ଦିଆଯାଇଥିଲା ଓ ଟ୍ରେନ ରହିବା ମାତ୍ରେ ଯବାନମାନେ ଟ୍ରେନର କୋଚ୍ ଭିତରେ ପଶି ଯାଇଥିଲେ। ଏହାପରେ ଟ୍ରେନର ତଲାସୀ ନିଆଯାଇଥିଲା। କୋଚ୍ ନମ୍ବର ଏସ-୨ରେ ଯେପରି ବ୍ୟକ୍ତି ସମ୍ପର୍କରେ କୁହାଯାଇଥିଲା ସେହି ବ୍ୟକ୍ତି ହିଁ ଥିଲା। ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ପାଖରେ ଛୋଟ ଝିଅଟିଏ ମଧ୍ୟ ବସିଥିଲା।
ଏହାପରେ ଶିଶୁଟିକୁ ଉଦ୍ଧାର କରିବା ସହ ବ୍ୟକ୍ତି ଜଣକୁ ଗିରଫ କରିଥିଲା ପୋଲିସ୍ । ପରେ ଗିରଫ ହୋଇଥିବା ବ୍ୟକ୍ତିଜଣକ କହିଥିଲେ, ତାଙ୍କ ଘର ଉତ୍ତରପ୍ରଦେଶର ଲଳିତପୁର ଓ ଯାହାକୁ ସାଙ୍ଗରେ ଆଣିଥିଲେ ସେ ତାଙ୍କର ନିଜ ଝିଅ। ଅଧିକା ତଦନ୍ତ ପରେ ଜଣାପଡିଥିଲା ସ୍ତ୍ରୀ ସହିତ ଝଗଡା ଲାଗିଥିବା କାରଣରୁ ବ୍ୟକ୍ତି ଜଣକ ନିଜର ଝିଅକୁ ନେଇ ଟ୍ରେନରେ ବସିଯାଇଥିଲେ। ତେବେ ପରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଥିବା ବିବାଦକୁ ଲଲିତପୁରରେ ସମାଧାନ କରି ଦିଆଯାଇଥିଲା।
Comments are closed.