Odisha Link
Bridging the Missing Links in Odisha

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ବର: ଧନସମ୍ପଦ, ଐଶ୍ବର୍ଯ୍ୟ, ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କର ଆଜି ପୂଜା। ମହାମାୟା ମେଲାଣି ପରେ ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ। କରୋନା କଟକଣା ମଧ୍ୟରେ ପାଳିତ ହେବ ମା’ଙ୍କ ପୂଜା। ରାଜ୍ୟସାରା ମା’ଙ୍କ ପୂଜା ପାଳିତ ହେଉଥିବା ବେଳେ ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପୂଜା ଫିକା ପଡ଼ିଛି। ଗଜଲକ୍ଷ୍ମୀ ପୂଜାରେ ସବୁ ପୂଜା ପେଣ୍ଡାଲ୍‌ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ହେଇଥିବା ବେଳେ ଏବର୍ଷ ପୂଜା ନିରାଡ଼ମ୍ବରରେ ପାଳନ କରାଯିବ।

ରାଜଧାନୀରେ ବି ଗଜଲକ୍ଷ୍ମୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ରାଜଧାନୀ ଓ ଉପକଣ୍ଠରେ ୫୦ରୁ ଅଧିକ ଅନୁଷ୍ଠାନ ମା’ଙ୍କ ପୂଜା ଆୟୋଜନ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ସୁନା ଓ ରୁପା ଅଳଙ୍କାରରେ ସଜେଇ ହେବେ ନାହିଁ ଐଶ୍ବର୍ଯ୍ୟ ଦେବୀ। ମା’ଙ୍କ ପୂଜା ନିରାଡ଼ମ୍ବରରେ ପାଳନ ହେବ। ବାପୁଜୀ ନଗରରେ ଆୟୋଜିତ ପୂଜା ମଣ୍ଡପରେ କେବଳ ମା’ଙ୍କ ଐଶ୍ବର୍ଯ୍ୟ କଳସ ପୂଜା କରାଯିବ। ସବୁ ବର୍ଷ ମା’ ୧୧ଦିନ ରହି ପୂଜା ପାଉଥିବା ବେଳେ ଚଳିତ ବର୍ଷ ୩ଦିନ ପୂଜା ପାଇବେ।

ଭୁବନେଶ୍ବରରେ ଗଜଲକ୍ଷ୍ମୀ ଭସାଣି ସମିତି ପକ୍ଷରୁ ସହିଦ ନଗର ଦୁର୍ଗାପୂଜା ପଡ଼ିଆରେ ଗଜଲକ୍ଷ୍ମୀ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ୧୨ରୁ ୧୪ ଲକ୍ଷ୍ମୀ ମେଢ଼ର ସମାଗମ ହେବା ସହ ମିଳିତ ଭସାଣି ହୁଏ। ମାତ୍ର ଏଥର ଏହା ଦେଖିବାକୁ ମିଳିବ ନାହିଁ।

 

Comments are closed.